ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି: ଦୂରଦର୍ଶନରେ ପୁଣି ପ୍ରସାରିତ ହେବ ରାମାୟଣ-ମହାଭାରତ

ନୂଆଦିଲ୍ଲୀ,୨୬।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହି ଲୋକମାନେ ଭିନ୍ନ ଉପାୟରେ ନିଜର ସମୟ କାଟୁଛନ୍ତି। କରୋନା ଯୋଗୁ ସାଧାରଣ ଜୀବନ ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରଭାବ ପକାଇଛି। ଏଭଳି ସ୍ଥିତିରେ ନା କୌଣସି ଫିଲ୍ମ ରିଲିଜ୍‌ ହୋଇପାରୁଛି ନା କୌଣସି ଟିଭି ସିରିଏଲ୍‌ର ଶୁଟିଂ ହୋଇପାରୁଛି। ହାତରେ ଆଉ ଏପିସୋଡ୍‌ ନ ଥିବାରୁ ଟିଭି ଚ୍ୟାନେଲଗୁଡିକ ରିପିଟ୍‌ ଟେଲିକାଷ୍ଟ ଦେଖେଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନ ଏକ ନିଷ୍ପତ୍ତି ନେଇଛି। ନିଜ ସମୟରେ ଲୋକପ୍ରିୟ ଥିବା ଟିଭି ଶୋ’ ରାମାୟଣ ଓ ମହାଭାରତକୁ ପୁନଃ ପ୍ରସାରଣ କରାଯିବ ବୋଲି ଦୂରଦର୍ଶନ ଘୋଷଣା କରିଛି। ତେବେ ଖୁବ୍‌ଶୀଘ୍ର ପ୍ରସାରଣର ସମୟ ଘୋଷଣା କରାଯିବ ବୋଲି ପ୍ରସାର ଭାରତୀର ଶଶି ଶେଖର ଟୁଇଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି।

Share