ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ ଅଧିକ ସମୟ ଲାଗୁଛି। ନୂଆ ମାମଲା ବୃଦ୍ଧି ହାର ୬ ପ୍ରତିଶତ ରହିଛି ଯାହା କି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିବା ପରେ ଏହା ସର୍ବନିମ୍ନ ଦୈନିକ ବୃଦ୍ଧି ହାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକରେ ରାଜ୍ୟଓ୍ବାରି କୋଭିଡ୍‌ ହସ୍ପିଟାଲ, ଆଇସୋଲେଶନ ବେଡ୍‌, ପିପିଇ କିଟ୍‌, ଏନ୍‌୯୫ ମାସ୍କ, ଔଷଧ, ଭେଣ୍ଟିଲେଟର, ଅକ୍ସିଜେନ୍‌ ସିଲିଣ୍ଡର ଆଦି ଉପରେ ଆଲୋଚନା କରାଯାଇଥିଲା। ଘରୋଇ ସଂସ୍ଥାଗୁଡ଼ିକ ପିପିଇ କିଟ୍‌ ଓ ମାସ୍କ ଉତ୍ପାଦନ ଆରମ୍ଭ କରିବା ପରେ ଏବେ ସେଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ମନ୍ତ୍ରୀଗୋଷ୍ଠୀକୁ ଅବଗତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ଦୈନିକ ୧ ଲକ୍ଷରୁ ଅଧିକ ପିପିଇ କିଟ୍‌ ଓ ଏନ୍‌୯୫ ମାସ୍କ ଉତ୍ପାଦନ ହେଉଛି। ସେହିପରି ଘରୋଇ କମ୍ପାନୀଗୁଡ଼ିକ ଭେଣ୍ଟିଲେଟର ଉତ୍ପାଦନ ଆରମ୍ଭ କରିଛନ୍ତି। ୯ଟି କମ୍ପାନୀକୁ ୫୯,୦୦୦ରୁ ଅଧିକ ଭେଣ୍ଟିଲେଟର ଯୋଗାଇବାକୁ ଅର୍ଡର ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୧ ପ୍ରତିଶତ ରହିଥିବାବେଳେ ସୁସ୍ଥ ହେବା ହାର ୨୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟ ଅଧିକାଂଶ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି। ୫,୬୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। କରୋନା ମୁକାବିଲା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମନ୍ତ୍ରୀଗୋଷ୍ଠୀ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ଓ ଦିନମଜୁରିଆମାନଙ୍କୁ ଖାଦ୍ୟ ଯୋଗାଇବାରେ ବିଭିନ୍ନ କମିଟି ସମେତ ୯୨,୦୦୦ ଏନ୍‌ଜିଓ, ସ୍ବୟଂସହାୟକ ଗୋଷ୍ଠୀ ଓ ସିଭିଲ୍‌ ସୋସାଇଟି ସଂଗଠନ ସାମିଲ ହୋଇଛନ୍ତି।

Share