Categories: ବାଣିଜ୍ୟ

ଦେଶରେ ସଂରକ୍ଷିତ ରହିବ ପେମେଣ୍ଟସ ଡାଟା:ଆର୍‌ବିଆଇ

ମୁମ୍ବାଇ,୨୭-୬: ଘରୋଇ ବଜାରରେ ପେମେଣ୍ଟସ ସଂକ୍ରାନ୍ତ ସମସ୍ତ ଡାଟା କେବଳ ଦେଶ ମଧ୍ୟରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ। ଯଦି କୌଣସି କ୍ଷେତ୍ରରେ ଡାଟା ବିଦେଶକୁ ପ୍ରୋସେସ ହୋଇଥାଏ ତେବେ ତାହା ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟକୁ ଆଣିବା ଉପରେ ପଦକ୍ଷେପ ନେବା ଉଚିତ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ସ୍ପଷ୍ଟ କରିଛି। ପେମେଣ୍ଟ ସିଷ୍ଟମ ଅପରେଟର୍ସ(ପିଏସ୍‌ଓ)ଗୁଡିକର କାର୍ଯ୍ୟ ପରିଚାଳନାରେ ଉପୁଜିଥିବା ଦ୍ୱନ୍ଦ୍ୱକୁ ଦୂରକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କୁହାଯାଇଛି। ଡାଟାର ପରିଚାଳନା ନେଇ ଆର୍‌ବିଆଇ ‘ଷ୍ଟୋରେଜ ଅଫ୍‌ ପେମେଣ୍ଟ ସିଷ୍ଟମ ଡାଟା’ ସଂକ୍ରାନ୍ତ ଫାକ୍‌ସ ଜାରି କରିଥିଲା। ପେମେଣ୍ଟ ସିଷ୍ଟମରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାର ୬ ମାସ ମଧ୍ୟରେ ସେମାନଙ୍କ ସିଷ୍ଟମ ଡାଟାକୁ ଭାରତରେ ସଂରକ୍ଷିତ କରିବା ନେଇ ନିଶ୍ଚିତ କରିବାକୁ ରିଜର୍ଭ ବ୍ୟାଙ୍କ ୨୦୧୮ ଏପ୍ରିଲରେ ନିର୍ଦ୍ଦେଶ ଦେଇଥିଲା।
ପିଏସ୍‌ଓଗୁଡିକ ବିଦେଶରେ ପେମେଣ୍ଟ ଡାଟା ରଖିବା ନେଇ ଇଛୁକ ଥିବା ବେଳେ ଫାକ୍‌ସରେ ଏହାର ବାରଣ କରାଯାଇଥିଲା। ଯଦିଓ ପ୍ରୋସେସିଂ ପରେ ପରେ ଡାଟା ଭାରତରେ ଷ୍ଟୋର ହୋଇ ପାରିବ ବୋଲି ଆର୍‌ବିଆଇ କହିଛି। ସେହିଭଳି ସମ୍ପୂର୍ଣ୍ଣ ଏଣ୍ଡଟୁଏଣ୍ଡ ଟ୍ରାଞ୍ଜାକଶନ ବିବରଣୀ ଡାଟାର ଅଂଶ ବିଶେଷ ବୋଲି ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି କୌଣସି ସଂସ୍ଥା ବିଦେଶରେ ଡାଟାର ପ୍ରୋସେସିଂ କରିଥାନ୍ତି ତେବେ ତାଙ୍କୁ ସେଠାରୁ ଡାଟାକୁ ସମ୍ପୂର୍ଣ୍ଣ ହଟାଇବାକୁ ପଡିବ। ଏହାକୁ ତୁରନ୍ତବାଦ ଭାରତକୁ ଆଣିବାକୁ ହେବ। ଏହା ଗୋଟିଏ ବାଣିଜ୍ୟ ଦିବସରୁ ଅଧିକ ନ ହେବା ଆବଶ୍ୟକ କିମ୍ବା ପେମେଣ୍ଟ ପ୍ରୋସେସିଂ ହେବାର ୨୪ ଘଣ୍ଟା ମଧ୍ୟରୁ ଏହାକୁ ସଂସ୍ଥାଗୁଡିକ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ କହିଛି।
ଡାଟା ପ୍ରୋସେସିଂ ନେଇ ସରକାର ଆଣିଥିବା ବିଭିନ୍ନ ନିୟମକୁ ନେଇ ବିଦେଶୀ କମ୍ପାନୀଗୁଡିକ ବିରୋଧ କରୁଛନ୍ତି। ବିଭିନ୍ନ ଇ-କମର୍ସ ଫାର୍ମଗୁଡିକ ଗତମାସରେ ଏ ନେଇ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀଙ୍କୁ ଭେଟିଥିବା ବେଳେ ସେମାନଙ୍କ ଅଭିଯୋଗ ରଖିଛନ୍ତି।

Share