Categories: ଖେଳ

ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା

ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଶୁଟରମାନେ ଆବଶ୍ୟକ ଟ୍ରେନିଂ ପାଇପାରୁ ନାହାନ୍ତି। ଅପୂର୍ବୀ ଚଣ୍ଡେଲା, ଯଶସ୍ବିନୀ ସିଂ ଦେସ୍ବାଲ, ଅଞ୍ଜୁମ ମୁଦଗିଲ, ଇଲାଭେନିଲ ଭାଲାରିଭାନ, ମନୁ ଭାକର ଓ ଅଭିଷେକ ବର୍ମା ୨୦୨୦ ଅଲିମ୍ପକ୍ସ କୋଟା ଅର୍ଜନ କରିସାରିଛନ୍ତି। କିନ୍ତୁ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ରହଣି ବ୍ୟବସ୍ଥା ଅଭାବ ଥିବାରୁ ପ୍ରତ୍ୟେକ ଥର ସେମାନଙ୍କୁ ଟ୍ରେନିଂ ପାଇଁ ହୋଟେଲରେ ରହିବାକୁ ପଡ଼ୁଛି। କାର୍ନି ସିଂ ଶୁଟିଂ ରେଞ୍ଜ ଦେଶର ସବୁଠୁ ଭଲ ସେଣ୍ଟର। କିନ୍ତୁ ସବୁଠୁ ବଡ଼ ଅସୁବିଧା ହେଲା ଏଠାରେ ହଷ୍ଟେଲ ସୁବିଧା ନାହିଁ। ଆମ ମଧ୍ୟରୁ ପ୍ରାୟତଃ ଶୁଟର ବାହାର ରାଜ୍ୟର। ଆମେ ସେଣ୍ଟରର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଏଠାକୁ ଆସୁଛୁ। ଟ୍ରେନିଂ ପାଇଁ ଆମକୁ ଲମ୍ବା ସମୟ ଧରି ଦିଲ୍ଲୀରେ ରହିବାକୁ ପଡ଼େ। ଏଥିଯୋଗୁ ଆମ ନିକଟରେ ଦୁଇଟି ବିକଳ୍ପ ହୋଟେଲରେ ରୁମ ବୁକ କରିବା ନ ହେଲେ ବନ୍ଧୁଙ୍କ ଘରେ ରହିବା। ଏକ ହଷ୍ଟେଲ ଥିଲେ ଆମକୁ ବହୁତ ସହଜ ହୋଇଥାନ୍ତା ବୋଲି ଯଶସ୍ବିନୀ କହିଛନ୍ତି। ସେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ହରିୟାଣା ଶୁଟର ଯଶସ୍ବିନୀ ଓ ମନୁ ଏବେ ପ୍ରାକ୍ଟିସ ପାଇଁ ଦିଲ୍ଲୀରେ ରହୁଛନ୍ତି। ୧୭ ବର୍ଷୀୟ ମନୁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମହିଳା ଶ୍ରୀରାମ କଲେଜରେ ପଢ଼ୁଛନ୍ତି। ପୂର୍ବରୁ ମୋତେ କାର୍ନି ସିଂ ରେଞ୍ଜରେ ପହଞ୍ଚତ୍ବା ପାଇଁ ବହୁତ ଟ୍ରାଭେଲ କରିବାକୁ ପଡ଼ୁଥିଲା। ସେତେବେଳେ ମୁଁ ବନ୍ଧୁ ଓ ସମ୍ପର୍କୀୟଙ୍କ ଘରେ ରହୁଥିଲି। ଏବେ ମୁଁ ଦିଲ୍ଲୀରେ ରହୁଛି, ଆଉ ଅଭ୍ୟାସ ପାଇଁ ଅଧିକ ସମୟ ମିଳୁଛି ବୋଲି ମନୁ କହିଛନ୍ତି। ଉଲ୍ଲେଖଥାଉ କି, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର କାର୍ନି ସିଂ ରେଞ୍ଜଠାରେ ହଷ୍ଟେଲ ସୁବିଧା ପାଇଁ ଆଶ୍ୱସନା ଦେଇଛନ୍ତି। ସମ୍ଭବତଃ ଆଗାମୀ ଦୁଇ ବର୍ଷ ମଧ୍ୟରେ ସେଣ୍ଟରଠାରେ ହଷ୍ଟେଲ ସୁବିଧା ଉପଲବ୍ଧ ହୋଇଯିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

Share