Categories: ଖେଳ

ଦେଶର ଶ୍ରେଷ୍ଠ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା, ୨୦।୩(ପି.ଟି.)- ଭାରତୀୟ ଫୁଟ୍‌ବଲର ଏକ ଯୁଗର ଅନ୍ତ ହୋଇଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ୮୩ ବର୍ଷୀୟ ପି.କେ. ବାନାର୍ଜୀଙ୍କ ଶୁକ୍ରବାର ପରଲୋକ ଘଟିଛି। ନିମୋନିଆ କାରଣରୁ ତାଙ୍କର ବିଭିନ୍ନ ଅଙ୍ଗ ଅକ୍ଷମ ହୋଇପଡ଼ିଥିଲା। ଚଳିତ ମାସ ୨ତାରିଖଠାରୁ ସେ ମେଡିକାଲରେ ଲାଇଫ ସପୋର୍ଟରେ ଥିଲେ। ପାର୍କିନସନ ଓ ଡିମେନ୍ସିଆରେ ପୀଡ଼ିତ ହେବା ସହ ତାଙ୍କର ହୃଦ୍‌ରୋଗ ସମସ୍ୟା ମଧ୍ୟ ଥିଲା। ସେ ଶୁକ୍ରବାର ମଧ୍ୟାହ୍ନ ୧୨.୪୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୬ ଜୁନ୍‌ ୨୩ ତାରିଖରେ ପି.କେ. ଓ୍ବେଷ୍ଟ ବେଙ୍ଗଲର ଜଲପାଇଗୁଡ଼ିରେ ଜନ୍ମ ନେଇଥିଲେ। ଦେଶ ବିଭାଜନ ପୂର୍ବରୁ ତାଙ୍କ ପରିବାର ଜାମସେଦପୁର ଚାଲିଯାଇଥିଲା। ୧୯୫୨ରେ ବିହାର ପକ୍ଷରୁ ସନ୍ତୋଷ କପ୍‌ରେ ପଦାର୍ପଣ କରିଥିଲେ। ଏହାର ୧୦ ବର୍ଷ ମଧ୍ୟରେ ସେ ଜାତୀୟ ଦଳର ପ୍ରତିଷ୍ଠିତ ଖେଳାଳି ହୋଇସାରିଥିଲେ। ୧୯୬୨ ଏସିଆନ ଗେମ୍ସ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହା ଭାରତୀୟ ଫୁଟ୍‌ବଲର ଜାଜ୍ୱଲ୍ୟମୟ ସମୟ ଥିଲା। ଦେଶ ପକ୍ଷରୁ ୮୪ ମ୍ୟାଚ୍‌ ଖେଳି ୬୫ ଗୋଲ ସ୍କୋର କରିଥିଲେ। ଭାରତୀୟ ଫୁଟବଲ ପ୍ରତି ତାଙ୍କ ଯୋଗଦାନକୁ ଫିଫା ମଧ୍ୟ ପ୍ରଶଂସା କରିଥିଲା। ଏଥିସହ ବାନାର୍ଜୀଙ୍କୁ ୨୦ ଦଶକର ଶ୍ରେଷ୍ଠ ଭାରତୀୟ ଖେଳାଳି ବିବେଚିତ କରିଥିଲା। ଦୁଇଥର ଅଲିମ୍ପିଆନ ୧୯୬୨ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତର ଏକମାତ୍ର ଗୋଲସ୍କୋରର ଭାବେ ଜୀବିତ ଥିଲେ। ଉକ୍ତ ମ୍ୟାଚରେ ବାନାର୍ଜୀ ଭାରତୀୟ ଦଳ ପାଇଁ ଖାତା ଖୋଲିଥିଲେ। ସେ ଅଧିନାୟକ ଭାବେ ୧୯୬୦ ରୋମ ଅଲିମ୍ପିକ୍ସରେ ଖେଳିଥିଲେ। ତାଙ୍କ କ୍ୟାରିୟରର ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ୧୯୫୬ ମେଲବୋର୍ନ ଅଲିମ୍ପିକ୍ସ। ଅଲିମ୍ପିକ୍ସର ସେହି ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ସେଥର ଭାରତ ୪-୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୧୯୬୭ରେ ପେସାଦାର ଫୁଟ୍‌ବଲରୁ ଅବସର ନେବା ପରେ କୋଚ୍‌ ଭାବେ ୫୪ ଟ୍ରଫି ହାସଲ କରିଥିଲେ। ୧୯୭୭ ସେ କୋଚ୍‌ ଥିବାବେଳେ ନ୍ୟୁୟର୍କ କସ୍‌ମସ୍‌ ବିପକ୍ଷ ଏକ ପ୍ରଦର୍ଶନୀ ମ୍ୟାଚ୍‌କୁ ମୋହନ ବାଗାନ ୨-୨ ଗୋଲରେ ବରାବର ରଖିଥିଲା। ଉକ୍ତ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଖେଳିଥିଲେ। ୧୯୭୦ରେ ସେ ଜାତୀୟ ଦଳର କୋଚ ଦାୟିତ୍ୱରେ ଥିଲେ। ସେହି ବର୍ଷ ଏସିଆଡ୍‌ରେ ଭାରତ ବ୍ରୋଞ୍ଜ ଜିତିଥିଲା।

Share