ନୂଆଦିଲ୍ଲୀ,୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) କ୍ୟାମ୍ପସ୍କୁ ମଙ୍ଗଳବାର ରାତିରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଗସ୍ତ କରିଥିଲେ। ସେଠାରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ର ଓ ଛାତ୍ରସଂଘର ଅଧ୍ୟକ୍ଷ ଐଶ ଘୋଷଙ୍କୁ ସେ ଭେଟିଥିଲେ। ତେବେ ଦୀପିକାଙ୍କ ଏହି ଗସ୍ତକୁ ବିରୋଧ କରି କିଛି ସଂଗଠନ ତାଙ୍କ ଫିଲ୍ମ ‘ଛପାକ’କୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ‘ବୟକଟ୍ ଛପାକ’ ଟ୍ରେଣ୍ଡ କରୁଥିବା ବେଳେ ଏହାକୁ ନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହା ଗଣତାନ୍ତ୍ରିକ ଦେଶ। ଏଠାରେ କୌଣସି ବ୍ୟକ୍ତି ବା କଳାକାର କେଉଁଠାକୁ ବି ଯାଇପାରିବେ ଏବଂ ନିଜର ବିଚାର ରଖିପାରିବେ। କୌଣସି ସ୍ଥାନକୁ ଯିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସ୍ବତନ୍ତ୍ର। ତେବେ ଆମେ ତାଙ୍କ ଫିଲ୍ମର ବହିଷ୍କାରକୁ ସମର୍ଥନ କରୁନାହୁଁ ବୋଲି ସେ କହିଛନ୍ତି।