ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ: ଯୋଗ, ଧ୍ୟାନ, ଆଧ୍ୟାତ୍ମିକ ଉପାୟରେ କରାଯିବ ଚିକିତ୍ସା

ମୁମ୍ବାଇ,୨୧।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଙ୍ଘାତିକ ହେବାରେ ଲାଗିଛି। ତେବେ କରୋନାର ଚିକିତ୍ସା କରିବାକୁ ମହାରାଷ୍ଟ୍ର ସରକାର ୧ ହଜାର ଶଯ୍ୟା ବିଶିଷ୍ଟ ଏକ ନୂଆ ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ରୋଗୀଙ୍କ ଚିକିତ୍ସା କରିବାକୁ ଏବେ ଯୋଗ ଓ ଧ୍ୟାନର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି। ବିଶେଷ କରି ମୁମ୍ବାଇରେ କରୋନା ସଂକ୍ରମଣ ଅଧିକ ଥିବାରୁ ଏଠାରେ ଏବେ ରୋଗୀଙ୍କର ଚିକିତ୍ସା ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିକ ଉପାୟରେ କରାଯିବାକୁ ଯୋଜନା କରାଯାଇଛି। ଏବେ ମୁମ୍ବାଇରେ ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ ତିଆରି କରାଯାଇଛି। ପାଖାପାଖି ୭୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରମର ନିର୍ମାଣ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଦ୍ୱାରା କରାଯାଇଛି। ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନିକଟରେଥିବା ୨ ଏକର ପରିମିତ ସ୍ଥାନରେ ଏହି ଆଶ୍ରମ ପ୍ରତିଷ୍ଠା କରିଛି। ଏହି ଆଶ୍ରମରେ କରୋନା ପୀଡ଼ିତଙ୍କୁ ଯୋଗ, ଧ୍ୟାନ, ସୁର୍ଯ୍ୟ କିରଣ(ସନ୍‌ ବାଥ୍‌), ପ୍ରବଚନ, ଈଶ୍ୱରଙ୍କ ବନ୍ଦନା ମାଧ୍ୟମରେ ରୋଗୀଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ପ୍ରୟାସ କରାଯିବ। ମୁମ୍ବାଇ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ସଞ୍ଜୟ ଭାଟିଆ କହିଛନ୍ତି ଉକ୍ତ ଆଶ୍ରମରେ ୫୦ ବର୍ଷରୁ କମ୍‌ ବୟସର କରୋନା ରୋଗୀଙ୍କର ଚିକିତ୍ସା କରାଯିବ। ଯେଉଁମାନଙ୍କ ନିକଟରେ ରୋଗର ଲକ୍ଷଣ ଦେଖାଯାଉ ନାହିଁ ସେମାନଙ୍କୁ ଆଶ୍ରମରେ ପ୍ରବେଶ ଅନୁମତି ମିଳିବ। ପ୍ରବେଶ ପରେ ରୋଗୀଙ୍କୁ ୨ ଦିନ ହସ୍ପିଟାଲରେ ରଖି ତାଙ୍କର ସମସ୍ତ ଆବଶ୍ୟକ ପରୀକ୍ଷା କରାଯିବ। ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପ୍ରତିଦିନ ୧ ଘଣ୍ଟା ଯୋଗ, ୯୦ ମିନିଟ ଧ୍ୟାନ ଓ ପାଖାପାଖି ୩୦ ମିନିଟ ଆଧ୍ୟାତ୍ମିକ ଚର୍ଚ୍ଚା କରାଯିବ। ସକାଳ ୬ଟାରୁ ଦିନର ଆରମ୍ଭ ଚା’ରୁ କରାଯିବା ସହ ରାତି ୯ଟାରେ ପ୍ରାର୍ଥନା ସାରି ସେମାନେ ଶୋଇବାକୁ ଯିବେ।

Share