Categories: ଜାତୀୟ

ଦେଶର ସର୍ବାଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ନୁହେଁ ବରଂ ଉତ୍ତର ପ୍ରଦେଶର ୮, ହରିୟାଣାର ୨ ସହର ରହିଛି

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି। ସୋମବାର ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କାରଣ ରାଜଧାନୀର କିଛି ସହରରେ ବାୟୁର ଗୁଣବତ୍ତା ଗମ୍ଭୀରରୁ ଖସି ଖରାପରେ ପହଞ୍ଚିଥିବା ନେଇ AQI ରୁ ଜଣାପଡ଼ିଛି। ତେବେ ଦିଲ୍ଲୀର ପ୍ରଦୂଷଣ ଯୋଗୁ ଯେଉଁ ଅସୁବିଧା ସୃଷ୍ଟି ହେଉଛି ତାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କେବଳ ଦିଲ୍ଲୀ ନୁହେଁ ବରଂ ଉତ୍ତରପ୍ରଦେଶର କିଛି ସହରର ଅବସ୍ଥା ମଧ୍ୟ ଖରାପ୍‌ ରହିଛି। ସେହିପରି ବାୟୁର ଖରାପ ଗୁଣବତ୍ତାରେ ହରିୟାଣାର କିଛି ସହର ମଧ୍ୟ ପଛରେ ନାହାନ୍ତି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟକୁ ବିଶ୍ଳେଷଣ କରି ଡାଟା ଇଣ୍ଟଲିଜେନ୍ସ ୟୁନିଟ ଏକ ରିପୋର୍ଟ ତିଆରି କରିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ଭାରତର ଟପ୍‌ ଟେନ୍‌ ପ୍ରଦୂଷିତ ସହରର ପ୍ରକାଶ ପାଇଥିବା ତାଲିକାରୁ ବାଦ୍‌ ପଡ଼ିଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ(ନଭେମ୍ବର ୩ ସନ୍ଧ୍ୟା ୪ଟାରୁ ନଭେମ୍ବର ୪ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ) ହରିୟାଣାର ଜିନ୍ଦ୍‌ ସହରର ଲୋକେ ସବୁଠାରୁ ବିଶାକ୍ତ ନିଃଶ୍ୱାସ ନେଇଛନ୍ତି। ସେହି ସମୟରେ ଜିନ୍ଦରେ ବାୟୁର ଗୁଣବତ୍ତା ହାରାହାରି AQI ୪୪୮ ରହିଥିଲା। ସେହିପରି ସୋମବାର ପ୍ରଦୂଷଣରେ ପ୍ରାୟ ୧୫ଟି ସହରର ହାରାହାରି AQI ୪୦୦ରୁ ଊର୍ଦ୍ଧ୍ୱରେ ରହିଥିଲା। ତେବେ ଏହି ୧୫ଟି ସହର ମଧ୍ୟରୁ କେବଳ ୯ଟି ଉତ୍ତରପ୍ରଦେଶ ଓ ୫ଟି ହରିୟାଣାର ସହର ରହିଛି। ଏହି ଅଧ୍ୟୟନରେ ଦିଲ୍ଲୀକୁ ଏକ ସହର ଭାବେ ଗଣାଯାଇଥିଲା। ତେବେ ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ହରିୟାଣାର ଜିନ୍ଦ୍‌ ପରେ ଉତ୍ତରପ୍ରଦେଶର ବାଗପତ ସହର ରହିଛି। ଯାହାର ବାୟୁର ଗୁଣବତ୍ତା ୪୪୦ ରେକର୍ଡ କରାଯାଇଛି। ସେହିପରି ଗାଜିଆବାଦରେ ୪୪୦, ହାପୁଡ ୪୩୬, ଲକ୍ଷ୍ନୌ ୪୩୫, ମୁରଦାବାଦ ୪୩୪, ନୋଏଡା ୪୩୦,ଗ୍ରେଟର ନୋଏଡା,୪୨୮ ଓ କାନପୁରରେ ୪୨୭ ଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ହରିୟାଣା ସିରସାରେ AQI ୪୨୬ ରହିଥିବା ସୂଚନା ମିଳିଛି। ତେବେ ପ୍ରଦୂଷଣ ମାମଲାରେ ବହୁଥର ଦିଲ୍ଲୀର ଆଖପାଖ ସହର ତାକୁ ପଛରେ ପକାଇ ଦେଇଛନ୍ତି। ଡାଟା ଇଣ୍ଟଲିଜେନ୍ସ ୟୁନିଟ ରିପୋର୍ଟ ଅନୁସାରେ ଦୀପାବଳିର ପୂର୍ବ ସପ୍ତାହରୁ ଉତ୍ତରପ୍ରଦେଶ ଓ ହରିୟାଣାର ଜନସାଧାରଣ ଦିଲ୍ଲୀରୁ ଅଧିକ ବିଶାକ୍ତ ନିଃଶ୍ୱାସ ନେଇଥିବା ଜଣାପଡ଼ିଛି।

Share