Categories: ଜାତୀୟ

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସେ ଏହି ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୮୭ ବର୍ଷୀୟ ପଦ୍ମଶ୍ରୀ ମୁଜ୍‌ତବା କହିଛନ୍ତି, ସିଏଏ ପ୍ରଣୟନ ପରେ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ସେ ଦୁଃଖିତ। ଏହି ଆଇନକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ସବୁଠୁ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଘୃଣାର ବହ୍ନିରେ ଘିଅ ଢଳାଯାଉଛି। ଏହା ତାଙ୍କୁ ବିଚଳିତ କରିଛି। ଯେଉଁ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେମାନେ ଅନେକ କଷ୍ଟ ସହ୍ୟକରି ଅକ୍ଳାନ୍ତ ଉଦ୍ୟମକରିଥିଲେ, ଆଜି ତାକୁ ଯେଭଳି ଢଙ୍ଗରେ ଧ୍ୱଂସ କରାଯାଉଛି ତାହା ନିନ୍ଦନୀୟ। ଏଭଳି ସ୍ଥିତିରେ ସେ ନିଜ ପାଖରେ କୌଣସି ସରକାରୀ ପୁରସ୍କାର ରଖିବାକୁ ଚାହୁଁ ନ ଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ସିଏଏ, ୨୦୧୯କୁ ନେଇ ମୁଜ୍‌ତବା କହିଛନ୍ତି, ତାଙ୍କୁ ୮୭ ବର୍ଷ ହେଲାଣି। ଦେଶରେ ଲାଗିରହିଥିବା ବିବାଦକୁ ନେଇ ସେ ଏହି ବୟସରେ ଚିନ୍ତିତ। ଦେଶର ଭବିଷ୍ୟତ କ’ଣ ହେବ ଏବଂ ସେ ନିଜ ପିଲାଛୁଆ ତଥା ଉତ୍ତରପିଢ଼ିକୁ କେଉଁ ସ୍ଥିତିରେ ଛାଡ଼ିଦେଇଛନ୍ତି ବୋଲି ସେ ଚିନ୍ତାରେ ରହୁଛନ୍ତି। ଏଭଳି ସମୟରେ ହସିବା ପାଇଁ ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ପ୍ରକାଶ ଯେ, ମୁଜ୍‌ତବା ହୁସେନ ହେଉଛନ୍ତି ଦୈନିକ ‘ସିଆସତ୍‌’ର ସହ ପ୍ରତିଷ୍ଠାତା ମେହବୁବ୍‌ ହୁସେନ୍‌ ଜିଗରଙ୍କ ଭାଇ। ‘ଆମେରିକା ଘାଁସ୍‌ କାଟ୍‌ ରହା ହୈ’ ଏବଂ ‘ଜାପାନ୍‌ ଚଲୋ’ ପୁସ୍ତକ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୁଜ୍‌ତବାଙ୍କୁ ୨୦୦୭ରେ ପଦ୍ମଶ୍ରୀ ଉପାଧି ମିଳିଥିଲା। ସାରା ବିଶ୍ୱର ଉର୍ଦ୍ଦୁ ଭାଷୀ ଲୋକଙ୍କ ମଧ୍ୟରେ ମୁଜ୍‌ତବା ଜଣେ ସମ୍ମାନିତ ବ୍ୟକ୍ତିତ୍ୱ। ତାଙ୍କ ଲେଖାଗୁଡ଼ିକ ଜାପାନ ସମେତ ଅନ୍ୟ ଦେଶଗୁଡ଼ିକରେ ପାଠକୀୟ ଆଦୃତି ଲାଭ କରିଛି।

Share