ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲା ତାଲିକାରେ ଖୋର୍ଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୧୬ା୪: ଭାରତର ୧୭୦ଟି ଜିଲାକୁ କରୋନା ହଟ୍‌ସ୍ପଟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ଖୋର୍ଦ୍ଧା ଜିଲା। ଏଥିସହିତ ୨୦୭ଟି ଜିଲାକୁ ଅଣହଟ୍‌ସ୍ପଟ ତାଲିକାରେ ରଖାଯାଇଛି। ଅଣହଟ୍‌ସ୍ପଟ ଜିଲା ମଧ୍ୟରେ ଓଡ଼ିଶାର ୭ଟି ଜିଲା- କଟକ, ଯାଜପୁର, କଳାହାଣ୍ଡି, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼ ରହିଛି। ସେହିପରି କ୍ଲଷ୍ଟର ହଟ୍‌ସ୍ପଟ ଜିଲା ତାଲିକାରେ ଓଡ଼ିଶାର ଭଦ୍ରକ ରହିଛି। ହଟସ୍ପଟର ନିଷିଦ୍ଧାଞ୍ଚଳଗୁଡ଼ିକରେ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରିବେ। ସେମାନେ ଘରକୁ ଘର ଯାଇ ସର୍ଭେ କରିବା ସହ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ ସମ୍ପର୍କରେ ନମୁନା ପରୀକ୍ଷା କରିବେ। ହଟ୍‌ ଜୋନ୍‌ରେ ଆଗାମୀ ୨୮ ଦିନ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଉକ୍ତ ଅଞ୍ଚଳର ସମସ୍ତ କରୋନା ରୋଗୀ ଭଲ ହେବା ଏବଂ ନୂଆ ରୋଗୀ ଚିହ୍ନଟ ନ ହେବା ପର୍ଯ୍ୟନ୍ତ କଟକଣା କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ହଟ୍‌ସ୍ପଟ (ରେଡ୍‌ ଜୋନ୍‌)ର ପରିଧି ୩ କିଲୋମିଟର ହେବାକୁ ଥିବାବେଳେ ବଫର ଜୋନ୍‌ (ଅରେଞ୍ଜ ଜୋନ୍‌) ପରିଧି ୭ କିଲୋମିଟର ରହିବ। ସଂକ୍ରମଣର କେନ୍ଦ୍ରସ୍ଥଳ ସମ୍ପର୍କରେ ରାଜ୍ୟ ଓ ଜିଲା ପ୍ରଶାସନ ନିଷ୍ପତ୍ତି ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣ ରୂପ ନେଇନାହିଁ। ସଂକ୍ରମଣ ରୋକିବା ଓ ଶୃଙ୍ଖଳ ଭାଙ୍ଗିବା ଲାଗି ସାମୂହିକ ଉଦ୍ୟମ ଆବଶ୍ୟକ। ଲକ୍‌ଡାଉନ ବେଳେ ପ୍ରତିଶେଧକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି।

Share