ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା ଦେଇଛନ୍ତି। ଦେଶରେ ଥିବା ଦୁଇ ପ୍ରଜାତିର ବାଦୁଡ଼ି ମଧ୍ୟରୁ ୫୮୬ ବାଦୁଡ଼ିଙ୍କର ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୫ଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ତେବେ ସେମାନଙ୍କଠାରେ ଥିବା କରୋନା ଭୂତାଣୁ ଦ୍ୱାରା ମନୁଷ୍ୟଠାରେ ସଂକ୍ରମଣ ହୋଇ ନ ଥିବା ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ପକ୍ଷରୁ କୁହାଯାଇଛି। ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) କହିଛି ଯେ, ପୁଣେରେ ଏନେଇ ଗତ ୩ ବର୍ଷ ଧରି ଗବେଷଣା ଜାରି ରହିଛି। ଅଧ୍ୟୟନ ପାଇଁ କେରଳ, ଚଣ୍ଡିଗଡ଼, କର୍ନାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, ଗୁଜରାଟ, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଗୋଟିଏ ପ୍ରଜାତି ବାଦୁଡ଼ିଙ୍କଠାରୁ ୫୦୮ ନମୁନା ସଂଗ୍ରହ କରାଯାଇଥିଲା। ସେହିପରି କେରଳ, କର୍ନାଟକ, ଚଣ୍ଡିଗଡ଼, ଗୁଜରାଟ, ଓଡ଼ିଶା, ପଞ୍ଜାବ ଏବଂ ତେଲେଙ୍ଗାନାରୁ ଦ୍ୱିତୀୟ ପ୍ରଜାତି ବାଦୁଡ଼ିଙ୍କଠାରୁ ୭୮ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ କେରଳ, ହିମାଚଳପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁର ୨ ପ୍ରଜାତିଙ୍କ ଠାରେ ବାଦୁଡ଼ି କରୋନା ଭୂତାଣୁ ରହିଥିବା ଗବେଷକ କହିଛନ୍ତି।

Share