ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ମୌସୁମୀ ପ୍ରଭାବରେ ଉତ୍ତରପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ମରାଠଓ୍ବାଡା ଏବଂ ବିଦର୍ଭର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ତେବେ ଏଠାରେ ହୋଇଥିବା ବର୍ଷା ପୂର୍ବାପେକ୍ଷା ୩୯ ପ୍ରତିଶତ କମ୍ ବୋଲି ପାଣିପାଗ ବିଭାଗ କହିଛି। ଓଡ଼ିଶା ଏବଂ ଲାକ୍ଷାଦ୍ୱୀପରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଜମ୍ମୁ-କଶ୍ମୀର ଏବଂ ପୂର୍ବ ରାଜସ୍ଥାନରେ ଅଧିକ ବର୍ଷା ହୋଇଛି। ସେହିପରି ଆଣ୍ଡାମାନ-ନିକୋବରରେ ପ୍ରବଳ ବର୍ଷା ହୋଇଛି। ମଧ୍ୟଭାରତ ସମେତ ଗୁଜରାଟ, ସୌରାଷ୍ଟ୍ରରେ ମଧ୍ୟ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ୨୩ ସୁଦ୍ଧା ଦେଶରେ ୭୦.୯ ମିଲିମିଟର ବର୍ଷା ହୋଇଛି। ମାତ୍ର ଏହା ୧୧୪.୨ ମିଲିମିଟର ହେବା କଥା। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଏହା ୩୮ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି।