ଦେଶୀ ଆମ୍ବ ଏବେ ଅଲୋଡ଼ା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ଏକଦା କେନ୍ଦୁଝର ଜିଲାର ଦେଶୀ ଆମ୍ବର ଅଧିକ ଚାହିଦା ରହିଥିଲା। ଆଦିବାସୀମାନେ ବଣ ପାହାଡ଼ ବୁଲି ଏହାକୁ ସଂଗ୍ରହ କରୁଥିଲେ। ଏଣୁ ଜିଲାରୁ ଦେଶୀ ଆମ୍ବ ବାହାର ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିଲା । ଏବେ କଳମୀ ବା ହାଇବ୍ରିଡ ଆମ୍ବ ଚାଷ ଯୋଗୁ ଦେଶୀ ଆମ୍ବର ଚାହିଦା କମିବାରେ ଲାଗିଛି। ଆଉ ଆଗ ଭଳି ହାଟ ବଜାରରେ ଦେଶୀ ଆମ୍ବର ପସରା ଦେଖିବାକୁ ମିଳୁ ନାହିଁ ା ଅନ୍ୟପକ୍ଷେ ଦେଶୀ ଆମ୍ବ ଗଛ ସଂଖ୍ୟା ମଧ୍ୟ କମି ଗଲାଣି।
ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ଘଟଗାଁ ଆଦି ବ୍ଲକ ଅଞ୍ଚଳରେ ସମ୍ପ୍ରତି ଅଧିକ ପରିମାଣରେ କଲମୀ ଆମ୍ବ ଚାଷ କରାଯାଉଛି। ଉଦ୍ୟାନ ବିଭାଗ ପ୍ରୋତ୍ସାହନରେ ଚାଷୀମାନେ ଆମ୍ବ ବଗିଚା କରି ଲାଭବାନ ହେଉଛନ୍ତି। ହାଟ ବଜାରରେ ଦେଶୀ ଆମ୍ବ ଜାଗାରେ ଅଧିକ କଳମୀ ଆମ୍ବ ବିକ୍ରି ହେଉଛି। ଏ ସମ୍ପର୍କରେ କୃଷକ ନେତା କୀତ୍ତର୍ର୍ନ ବିହାରୀ ଜେନା କହିଛନ୍ତି, କେନ୍ଦୁଝର ଜିଲାରେ ପ୍ରଚୁର ଆମ୍ବ ଉତ୍ପାଦନ ହେଉଥିଲେ ମଧ୍ୟ ଏଥିଲାଗି ଉପଯୁକ୍ତ ବଜାର ଓ ସଂରକ୍ଷଣ ବ୍ୟବସ୍ଥା ସୃଷ୍ଟି କରାଯାଉ ନାହିଁ । ଆମ୍ବ ସାଇତି ରଖିବା ସକାଶେ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀମାନେ ବେପାରୀଙ୍କୁ ଆମ୍ବ ବିକି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଏଭଳି କାରଣରୁ ଆମ୍ବଚାଷୀମାନେ ଆମ୍ବ ବଗିଚାକୁ ବେପାରୀମାନଙ୍କୁ ମଧ୍ୟ କମ ମୂଲ୍ୟରେ ଲିଜ ଦେଉଥିବା କହିଛନ୍ତି। ଅନ୍ୟପକ୍ଷେ ବଣ ପାହାଡ ବୁଲି ଦେଶୀ ଆମ୍ବ ଓ ଅନ୍ୟ ଫଳ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀଙ୍କ ଜୀବନ ଜୀବିକା ଅଧିକ ପ୍ରଭାବିତ ହେଉଛି। ପାରମ୍ପରିକ ବୃତ୍ତିକୁ ନେଇ ବଞ୍ଚୁଥିବା ଅନେକ ଆଦିବାସୀ ଏବେ ମଧ୍ୟ ବହୁ ଦୂରରୁ ଆମ୍ବ ଓ ଅନ୍ୟଫଳର ବୋଝ ମୁଣ୍ଡାଇ ଚାଲି ଚାଲି ଆସି ହାଟବଜାର ଓ ରସ୍ତାକଡ଼ରେ ବସି ବିକୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନେ ଉଚିତ ମୂଲ୍ୟ ପାଉ ନ ଥିବାରୁ ପାରମ୍ପରିକ ଜୀବିକାଠାରୁ କ୍ରମେ ଦୂରେଇ ଯାଉଥିବା ପରିବେଶବିତ୍‌ ଡକ୍ଟର ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି।