ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବୁଧବାର ରାତି ୮ଟା ବେଳେ ପୁଟିବନ୍ଧ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ତେଲିପାଳ ପଞ୍ଚାୟତର ପୁଟିବନ୍ଦ ଗ୍ରାମର ମୁନସୀ ସିଂ (୨୭) ଶିକାର ପାଇଁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ନେଇ ଯାଉଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଥିଲେ। ବନବିଭାଗ ବନ୍ଧୁକ ସହ ମୁନସୀଙ୍କୁ ଗିରଫ କରି ଏକ ମାମଲା (ନଂ. ୩୩/୨୦) ରୁଜୁ କରି କୋର୍ଟଚାଲାଣ କରିଛନ୍ତି। ଚଢ଼ାଉରେ କୁଲଡ଼ିହା ଫରେଷ୍ଟର ପରମାନନ୍ଦ ନାୟକ, ଗାର୍ଡ଼ ଫୁଲମଣୀ ମୁର୍ମୁ, ଆୟୁଷ୍ମାନ ପଣ୍ଡାଙ୍କ ସମେତ ସବୁଜ ବାହିନୀ ସାମିଲ ଥିଲେ।