ଦେଶୀ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ବାନାର୍ଜୀ

ଷ୍ଟକହୋମ, ୧୧।୧୨: ସମ୍ପୂର୍ଣ୍ଣ ଭାରତୀୟ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ଭାରତୀୟ ମୂଳର ପ୍ରଫେସର ଅଭିଜିତ୍‌ ବାନାର୍ଜୀ। ସେ ଧୋତି ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ଇସ୍ତର୍‌ ଡୁଫ୍ଲୋ ମଧ୍ୟ ଶାଢି ପିନ୍ଧିଥିବାର ନଜର ଆସିଥିଲେ। ସ୍ବିଡେନର ଷ୍ଟକ୍‌ହୋମ କନସର୍ଟ ହଲରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, ଚଳିତ ଥର ୩ ଜଣଙ୍କୁ ସଂଯୁକ୍ତ ଭାବେ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଅଭିଜିତ୍‌ବାନାର୍ଜୀ(୫୭)ଙ୍କ ସହ ଏହି ନୋବେଲ ପାଇବାକୁ ଥିବା ଅନ୍ୟ ୨ଜଣ ହେଲେ ଅର୍ଥନୀତିଜ୍ଞ ଅଭିଜିତ୍‌ଙ୍କର ସ୍ତ୍ରୀ ଇସ୍ତର ଡୁଫ୍ଲୋ(୪୭) ଏବଂ ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ କ୍ରେମର (୫୪) ଅଟନ୍ତି । ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ କରିବା ଦିଗରେ କାର୍ଯ୍ୟ ପାଇଁ ଅଭିଜିତ୍‌, ଇସ୍ତର ଏବଂ ମାଇକେଲଙ୍କୁ ଅର୍ଥନୀତିରେ ସର୍ବୋଚ୍ଚ ପୁରସ୍କାର ମିଳିଛି। ଇସ୍ତର ଫ୍ରାନ୍ସର ମୂଳ ବାସିନ୍ଦା ଥିବାବେଳେ ସେ ଏବେ ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପ୍ରଫେସର ଅଛନ୍ତି। ଅପରପକ୍ଷରେ କ୍ରେମର ଆମେରିକୀୟ ଅର୍ଥନୀତିଜ୍ଞ ହୋଇଥିବାବେଳେ ସେ ଆମେରିକାନ ଏକାଡେମୀ ଅଫ ଆର୍ଟ ଆଣ୍ଡ୍‌ ସାଇନ୍ସ ସହ ଜଡିତ ଅଛନ୍ତି। ଏଥିସହିତ ଦୀର୍ଘ ୨୧ ବର୍ଷ ପରେ ଅଭିଜିତ୍‌ ବାନାର୍ଜୀଙ୍କ ରୂପରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ନୋବେଲ ଅର୍ଥନୀତି ପୁରସ୍କାର ମିଳିଛି। ଅଭିଜିତ୍‌ଙ୍କ ପୂର୍ବରୁ ୧୯୯୮ ମସିହାରେ ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତିରେ ନୋବେଲ ମିଳିଥିଲା।

Share