ବୈକୁଣ୍ଠନାଥ ମିଶ୍ର
ମନୁଷ୍ୟର ଅସ୍ବାଭାବିକ ଆଚରଣ ଘୋର ସଙ୍କଟମୟ ସ୍ଥିତିକୁ ଆମନ୍ତ୍ରଣ କରୁଛି। ତା’ର ଚଳଣି, ନିତ୍ୟନୈମିତ୍ତିକ କର୍ମ ସମ୍ପାଦନ ଓ ଗତିବିଧିର ଫଳାଫଳ କ୍ରମେ ତା’ ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲାଇ ରଖିଛି। ସେ ସବୁ ଶୁଣେ, ସବୁ ଦେଖେ ଓ ସବୁ ଜାଣେ ତଥାପି ତା’ର ଚୈତନ୍ୟ ଜାଗ୍ରତ ହେଉନାହିଁ। ନିଜେ ନିଜର ବାସସ୍ଥଳୀ ଓ ଚତୁଃପାର୍ଶ୍ୱ ପରିବେଷ୍ଟନୀକୁ ପ୍ରତିକୂଳତା ମଧ୍ୟକୁ ଠେଲି ଦେଉଛି। ସାମୟିକ ସୁଖଭୋଗର ଲାଳସାକୁ ସମ୍ବରଣ କରି ନ ପାରି ସେ ପରିବେଶର ଯେଉଁ କ୍ଷତି ଘଟାଉଛି, ତାହା ନିଜ ପାଇଁ ଓ ଅନ୍ୟ ଲାଗି ବିଷମୟ ପରିଣତି ସୃଷ୍ଟି କରିଚାଲିଛି।
୨୦୧୯ ଅକ୍ଟୋବର ଶେଷ ସପ୍ତାହ ଓ ନଭେମ୍ବର ପ୍ରଥମ ସପ୍ତାହ ଉପକୂଳ ଓଡ଼ିଶା ପାଇଁ ଅଭୂତପୂର୍ବ ପାରିବେଶିକ ସମସ୍ୟା ସୃଷ୍ଟି କରିଥିଲା। ଏହା ଓଡ଼ିଶା ପରିବେଶ ଇତିହାସରେ ବିରଳ। ବର୍ଷା ନାହିଁ, ଖରା ନାହିଁ, କୁହୁଡି ମଧ୍ୟ ନୁହେଁ, ଅଥଚ କୁହୁଡ଼ିର ଭ୍ରମ ସୃଷ୍ଟିକାରୀ ଏକ ଧୂମମୟ ଆସ୍ତରଣ ବାୟୁମଣ୍ଡଳକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥିଲା। ଧୂଳି ଓ ଧୂଆଁର ଏକ ବହଳ ଆବରଣ ସମଗ୍ର ପୂର୍ବାହ୍ଣକୁ ଢାଙ୍କି ରଖିଥିଲା। ଏହାକୁ ପରିବେଶବିତ୍ଙ୍କ ଭାଷାରେ କୁହାଯାଏ ସ୍ମଗ୍। ଏହାଥିଲା ବାତ୍ୟା ‘ବୁଲ୍ବୁଲ୍’ର ଠିକ୍ ପୂର୍ବବର୍ତ୍ତୀ ସମୟ। ସେତେବେଳେ ଉପକୂଳ ଓଡ଼ିଶାରେ ଉତ୍ତର ଓ ଉତ୍ତରପୂର୍ବ ଦିଗରୁ ଯେଉଁ ବାୟୁ ପ୍ରବାହିତ ହେଉଥିଲା ତା’ର ଘଣ୍ଟା ପ୍ରତି ବେଗ ଥିଲା ମାତ୍ର ୫ କି.ମି.ରୁ କମ୍। ଫଳରେ ବିଭିନ୍ନ ସହରର ଧୂଳିଧୂଆଁର ପ୍ରଦୂଷଣ ସୃଷ୍ଟିକାରୀ କଣିକା ପରିବାହିତ ହୋଇ ନ ପାରି ବାୟୁମଣ୍ଡଳରେ ଜମାଟ ବାନ୍ଧି ରହିଥିଲା। ୨୦୧୪ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ବାୟୁମଣ୍ଡଳର ଗୁଣବତ୍ତା ସୂଚକ (ଏୟାର କ୍ୱାଲିଟି ଇଣ୍ଡେକ୍ସ-ଏକ୍ୟୁଆଇ) ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ଗ୍ୟାସ୍ ଓ ଧୂଳିକଣାର ଅନୁପାତ ନିର୍ଦ୍ଧାରଣ କରାଯାଇଛି। ଏକ୍ୟୁଆଇ ଶୂନରୁ ୫୦ ମଧ୍ୟରେ ସ୍ବାସ୍ଥ୍ୟ ପାଇଁ ଅନୁକୂଳ। ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ଚଳନୀୟ, ୨୦୧ରୁ ୩୦୦ କ୍ଷତିକାରକ, ୩୦୧ରୁ ୪୦୦ ଅତ୍ୟନ୍ତ କ୍ଷତିକାରକ, ୪୦୧ରୁ ୫୦୦ ତଦୂର୍ଦ୍ଧ୍ୱ ଭୟଙ୍କର କ୍ଷତିକାରକ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦେଶର ଅତ୍ୟନ୍ତ ପ୍ରଦୂଷିତ ୧୦୬ଟି ସହରକୁ ଚିହ୍ନଟ କରିଛନ୍ତି। ଯେଉଁଥିରେ ଓଡ଼ିଶାର ଅଛି ୭ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୋଳ, ତାଳଚେର, ବାଲେଶ୍ୱର ଓ କଳିଙ୍ଗନଗର। ଓଡ଼ିଶାରେ ବାୟୁପ୍ରଦୂଷଣ ମାପ କରିବାର କୌଣସି ସୁବିଧା ଆଜି ସୁଦ୍ଧା ହୋଇପାରିନାହିଁ। ତେଣୁ ଓଡ଼ିଶାର ଠିକ୍ ପ୍ରଦୂଷଣମାତ୍ରା ନିରୂପିତ ହୋଇନାହିଁ। ତଥାପି ଉପରୋକ୍ତ ସହର ଓ ଉପକୂଳ ଓଡ଼ିଶାର ସେହି ସମୟର ବାୟୁ ଗୁଣବତ୍ତା ପ୍ରାୟ ୪୦୦ ହେବ ବୋଲି ଅନୁମାନ କରାଯାଏ। ପରିବେଶ ବିଜ୍ଞାନୀଙ୍କ ମତରେ ଭୟଙ୍କର ପ୍ରଦୂଷିତ ବାୟୁ ମନୁଷ୍ୟର ପରମାୟୁକୁ ପ୍ରାୟ ୨୦ ମାସ ହ୍ରାସ କରୁଛି।
ପୃଥିବୀର ପ୍ରଦୂଷିତ ସହର ମଧ୍ୟରେ ସର୍ବାଗ୍ରେ ରହିଛି ଦିଲ୍ଲୀ। ତା’ପଛକୁ ଅଛନ୍ତି ଢାକା ଓ ଲାହୋର। ଢାକା ତୁଳନାରେ ଦିଲ୍ଲୀର ପ୍ରଦୂଷଣ ପ୍ରାୟ ୬୦ ପଏଣ୍ଟ ଅଧିକ। ଢାକା ଓ ଲାହୋର ଦ୍ୱିତୀୟ ଓ ତୃତୀୟ ସ୍ଥାନ ମଧ୍ୟରେ ପରିବର୍ତ୍ତିତ ହେଉଥିଲେ ମଧ୍ୟ ଦିଲ୍ଲୀର ସ୍ଥିତି ସଦା ଅପରିବର୍ତ୍ତିତ ରହୁଛି। ୨୦୧୫ରେ ଏକ୍ୟୁଆଇ ନିର୍ଦ୍ଧାରିତ ହେବା ପରେ ଦିଲ୍ଲୀର ବାୟୁମଣ୍ଡଳ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ସ୍ତର (୫୦୦ ପାଖାପାଖି)କୁ ସ୍ପର୍ଶ କରିଛି। ୨୦୧୬ ନଭେମ୍ବର ୬ ତାରିଖରେ ବାୟୁ ଗୁଣବତ୍ତା ଥିଲା ୪୯୭। ସେତେବେଳେ ଦୀପାବଳିର ବାଣଫୁଟାକୁ ବିଶେଷଭାବେ ଦାୟୀ କରାଯାଇଥିଲା। ସେଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରି ସ୍ଥାନୀୟ ପ୍ରଶାସନକୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶର ପରିପାଳନ କରାଗଲା ନାହିଁ। ୨୦୧୯ ନଭେମ୍ବର ୩ ତାରିଖ ଓ ପରବର୍ତ୍ତୀ ଦିନଗୁଡିକରେ ଦିଲ୍ଲୀର ବାୟୁମଣ୍ଡଳୀୟ ଗୁଣବତ୍ତା ୨୦୧୬ର ପୁନରାବୃତ୍ତି ଘଟିଲା। ଏଥର ମଧ୍ୟ ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତରେ ମନୁଷ୍ୟ ଜୀବନ ସହିତ ଖେଳିବାର ଅଧିକାର କୌଣସି ସରକାରଙ୍କର ନାହିଁ। ପରିବେଶବିତ୍ଙ୍କ ଆଶଙ୍କା ଯେ ହରିୟାଣା ଓ ପଞ୍ଜାବର ଚାଷୀମାନେ ଫସଲ ଅମଳ ପରେ ନଡାକୁଟା ଇତ୍ୟାଦିକୁ କ୍ଷେତରେ ପୋଡିଦେବା ଦ୍ୱାରା ସେହି ଧୂଆଁ ପରିବାହିତ ହୋଇ ଦିଲ୍ଲୀ ଆକାଶକୁ ଧୂମାଚ୍ଛନ୍ନ କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାନ ମତ ରଖି କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ଯେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀମାନଙ୍କର ଏକ ମିଳିତ ବୈଠକ କରାଯାଇ ସମାଧାନର ଏକ ସ୍ଥାୟୀ ସୂତ୍ର ବାହାର କରାଯାଉ। ତାଙ୍କ ଆଡୁ ସେ ଦିଲ୍ଲୀର ଗାଡି ଚଳାଚଳରେ ଯୁଗ୍ମ ଅଯୁଗ୍ମ ସୂତ୍ର ପୁନର୍ବାର ପ୍ରଚଳନ କରିବାର ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଗାଡି ଚାଳନାଜନିତ ପ୍ରଦୂଷଣ ୫୦ ପ୍ରତିଶତ ହ୍ରାସ ପାଇବ। ସୁପ୍ରିମ୍କୋର୍ଟ ମଧ୍ୟ କେନ୍ଦ୍ର ସରକାରକୁ ୨୦୧୯ ନଭେମ୍ବର ୪ ତାରିଖରେ ଅନୁରୂପ ନିର୍ଦ୍ଦେଶ ଦେଇଥିଲେ ଯେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କୁ ନେଇ କେନ୍ଦ୍ର ଏକ ଜରୁରୀ ବୈଠକ କରି ପ୍ରଦୂଷଣ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। କ୍ଷେତର ବର୍ଜ୍ୟ ନଡାକୁ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ଦେଇ ସେଗୁଡିକୁ ନ ପୋଡିବା ପାଇଁ ଚାଷୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଅଧିକନ୍ତୁ ବର୍ଜ୍ୟ ନଡାର ବିକଳ୍ପ ବିନିଯୋଗ ଯଥା କାଗଜଶିଳ୍ପ ଓ କମ୍ପୋଷ୍ଟରେ ବ୍ୟବହାର କରାଯାଉ। ଦିଲ୍ଲୀ ଓ ଏହାର ଉପକଣ୍ଠରେ ବାଣଫୁଟା ଓ ସମସ୍ତ ବେଆଇନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଉ।
ପ୍ରଦୂଷଣଜନିତ ପରିସ୍ଥିତି ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ସ୍ମଗ୍ (କୁହୁଡି ଓ ଧୂଆଁର ମିଶ୍ରଣ) ଯୋଗୁ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ପ୍ରାଣହାନି ଘଟିଲା। ରେଳ ଓ ବିମାନଯାତ୍ରା ବ୍ୟାହତ ହେଲା। ପରିବେଶବିତ୍ଙ୍କ ଭବିଷ୍ୟବାଣୀ ହେଲା- ଏହା ଆରମ୍ଭ ମାତ୍ର। ସଡ଼କ ଦୁର୍ଘଟଣା ଅପେକ୍ଷା ବାୟୁଜନିତ ବିଭିନ୍ନ ରୋଗର ପ୍ରାଦୁର୍ଭାବ ଯୋଗୁ ମୃତ୍ୟୁସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବ। ଗତ ନଭେମ୍ବର ୨ ତାରିଖରେ ଶତାଧିକ ପୀଡିତ ଶିଶୁଙ୍କୁ ନେଇ ମା’ମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶିଶୁମାନଙ୍କ ସୁରକ୍ଷା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଥାଇଲାଣ୍ଡ ଗସ୍ତରେ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡିଲା। ଭିଡ ଯୋଗୁ ୧୪୪ ଜାରିହେଲା। ଗହଳି ମଧ୍ୟରୁ ଜଣେ ମା’ ପୋଲିସର ଜଣେ ଉଚ୍ଚାଧିକାରୀଙ୍କୁ ଯାହା କହିଲେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ପୋଲିସ ଯଦି ନିଜ ନିଜ ଥାନା ଇଲାକାରେ ଦୀପାବଳି ବାଣଫୁଟାକୁ ରୋକି ପାରିଥାନ୍ତେ, ତେବେ ଆଜି ଏ ପରିସ୍ଥିତି ଦେଖିବାକୁ ମିଳି ନ ଥାନ୍ତା। ପ୍ରତିବର୍ଷ ଦୀପାବଳିର ପରବର୍ତ୍ତୀ ଦିନଗୁଡିକରେ ଏପରି ସ୍ଥିତି ଉପୁଜୁଛି। ନଡା ଧୂଆଁ ସହ ଦୀପାବଳିର ଧୂଆଁ ମିଶି ପ୍ରଦୂଷଣକୁ ତୀବ୍ରତର କରୁଛି। ସୁପ୍ରିମ୍କୋର୍ଟ ମଧ୍ୟ କଠୋର ନିର୍ଦ୍ଦେଶରେ କହିଛନ୍ତି- ”ପ୍ରଦୂଷଣ ହଟାଅ, ଲୋକଙ୍କୁ ସୁରକ୍ଷା ଦିଅ- ସରକାର ନୀରବଦ୍ରଷ୍ଟା ସାଜିବା ଉଚିତ ନୁହେଁ।“ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଶୀତର ପ୍ରଭାବ ଶୂନ। ଏହା ପରିବେଶର ଅସ୍ବାଭାବିକ ପରିବର୍ତ୍ତନର ସୂଚନା ବୋଲି ପରିବେଶବିତ୍ ମତ ଦିଅନ୍ତି।
ଉତ୍ତରପ୍ରଦେଶର ଜଣେ ବରିଷ୍ଠ ଭାଜପା ନେତା ତଥା ୟୁପି ଶ୍ରମିକ ମଙ୍ଗଳ ପରିଷଦର ଚେୟାରମ୍ୟାନ ସୁନୀଲ ବାର୍ଲା ପ୍ରଦୂଷଣ ସମସ୍ୟାକୁ ନେଇ ଭିନ୍ନ ମତ ପୋଷଣ କରନ୍ତି। ତାଙ୍କ ମତରେ କୃଷି କ୍ଷେତ୍ରରେ ବର୍ଜ୍ୟ ଦହନକୁ ନେଇ ଚାଷୀକୁ ଦୋଷ ଦେବା ଉଚିତ ନୁହେଁ। କାରଣ ଚାଷୀ ବଂଶାନୁକ୍ରମିକ ଭାବେ ପ୍ରତିବର୍ଷ ଜମିରେ ଫସଲ ବର୍ଜ୍ୟ ପୋଡି ଆସୁଛନ୍ତି। ଏହା ଏକ ପରମ୍ପରା। ଅନ୍ନଦାତାଙ୍କୁ ଦୋଷ ଦେଇ ଆମେ ଖସିଯାଇ ପାରିବା ନାହିଁ। ସେହିପରି ଶିଶୁମାନଙ୍କୁ ଦୀପାବଳିରେ ବାଣଫୁଟାରୁ ବଞ୍ଚିତ କରାଯିବା ଅନୁଚିତ। ବଜାରରେ ବିଷାକ୍ତ ଓ ପ୍ରଦୂଷଣ ସୃଷ୍ଟିକାରୀ ବାଣର ଉପଲବ୍ଧତାକୁ ନିୟନ୍ତ୍ରଣ କରାଯିବା ଜରୁରୀ। ପ୍ରତିକାର ସ୍ବରୂପ ଦିଲ୍ଲୀ ସମୀପବର୍ତ୍ତୀ ଅଞ୍ଚଳରୁ ସମସ୍ତ ବେଆଇନ ନିର୍ମାଣ, କଳକାରଖାନା, ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ଓ କ୍ରଶରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଉ। ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ପରିବର୍ତ୍ତେ ସୌରଶକ୍ତି ବ୍ୟବହାର କରାଯାଉ। ବାର୍ଲାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି ପ୍ରଦୂଷଣ କବଳରୁ ମୁକ୍ତି ପାଇଁ ଦିଲ୍ଲୀ ଉପକଣ୍ଠରେ ଏବଂ ସମଗ୍ର ଦେଶରେ ପ୍ରଚୁର ଯାଗଯଜ୍ଞ ଓ ଘୃତହୋମର ଆୟୋଜନ କରାଯାଉ। ବିଶୁଦ୍ଧ ଘୃତାହୁତି ଯୋଗୁ ବାୟୁମଣ୍ଡଳର ଅଦରକାରୀ ଓ କ୍ଷତିକାରକ କଣିକାସବୁ ନଷ୍ଟ ହେବ ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସପାଇ ଅମ୍ଳଜାନ ବୃଦ୍ଧି ହେବ। କେବଳ ବିଶୁଦ୍ଧ ଘୃତାହୁତିରେ ଏହା ସମ୍ଭବ ହେବ। ତେଣୁ ଗ୍ରାମେ ଗ୍ରାମେ ଯାଗଯଜ୍ଞର ଆୟୋଜନ କରାଯାଇ ଆଧ୍ୟାତ୍ମିକ ଓ ପାରିବେଶିକ ବିକାଶ ସାଧନ କରାଯିବା ଆବଶ୍ୟକ। ପ୍ରାଚୀନ କାଳରେ ମୁନିଋଷିମାନେ ବୈଦିକ ଯଜ୍ଞର ଆୟୋଜନ କରି ମାନବ ସମାଜର ପ୍ରଭୂତ କଲ୍ୟାଣ କରୁଥିଲେ। ଏତଦ୍ବ୍ୟତୀତ ବୃକ୍ଷସମ୍ପଦର ବିକାଶ ଅପରିହାର୍ଯ୍ୟ। ଆମେ ପ୍ରାଚୀନ ଋଷିବାଦକୁ ଭୁଲି ଯେଉଁ ପଥର ପଥିକ ସାଜିଲୁ, ତାହା ବିକାଶ ପରିବର୍ତ୍ତେ ବିନାଶକୁ ଆବାହନ କରୁଛି। ଶ୍ରୀମଦ୍ଭବଦ୍ଗୀତା ମଧ୍ୟ ଉକ୍ତ ତତ୍ତ୍ୱକୁ ସମର୍ଥନ କରନ୍ତି। ଗୀତାରେ ଅଛି-
ଅନ୍ନାଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନ ସମ୍ଭବଃ।
ଯଜ୍ଞାଦ୍ଭବନ୍ତି ପର୍ଜନ୍ୟୋ ଯଜ୍ଞଃ କର୍ମସମୁଦ୍ଭବଃ।ା
ଅର୍ଥାତ୍ ଅନ୍ନ ଯୋଗୁ ମନୁଷ୍ୟାଦି ପ୍ରାଣୀମାନେ ବଞ୍ଚନ୍ତି। ବୃଷ୍ଟି ଯୋଗୁ ଅନ୍ନ ସମ୍ଭବ ହୁଏ। ଯଜ୍ଞ ଯୋଗୁ ବୃଷ୍ଟି ସମ୍ଭବ ହୁଏ ଓ ସର୍ବବ୍ୟାପୀ ବ୍ରହ୍ମ, ଯଜ୍ଞ ଯୋଗୁ ପ୍ରତିଷ୍ଠିତ ହୁଅନ୍ତି। ଏଣୁ ଯଜ୍ଞ କରଣୀୟ। ସୁତରାଂ ସମୟ ଉପଗତ। ଆଧୁନିକତାର ଦ୍ୱାହି ଦେଇ ମୁନିଋଷିମାନଙ୍କ ପ୍ରଦର୍ଶିତ ମାର୍ଗରୁ ବିଚ୍ୟୁତ ହୋଇ ମାନବୋଚିତ ସଂସ୍କାରଠାରୁ ଦୂରେଇ ଗଲେ ବିନାଶ ଅବଶ୍ୟମ୍ଭାବୀ। ଠିକ୍ କାରଣ ନିର୍ଦ୍ଧାରଣ, ତାହାର ନିରାକରଣ ଓ ନିବାରଣ ଅତ୍ୟନ୍ତ ଜରୁରୀ ମନେହେଲାଣି। ରାଜନୀତିର ଊର୍ଦ୍ଧ୍ୱରେ ରହି ପ୍ରତ୍ୟେକ ବ୍ୟକ୍ତିର ନିଷ୍ଠାପର ଉଦ୍ୟମ ଏକାନ୍ତ କାମ୍ୟ। ପରିବେଶର ସୁରକ୍ଷାରେ ଦେଶ ବଞ୍ଚିବ। ଦେଶ ବଞ୍ଚିଲେ ଆମେ ବଞ୍ଚିବା।
ସିଦ୍ଧଳ, ଜଗତ୍ସିଂହପୁର, ମୋ-୯୯୩୭୪୫୦୫୪୦