Categories: ଫୁରସତ

ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ

ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ ବିହାରର ମଧୁବନି ଜିଲାରେ ଲାଗିଥାଏ। ଏଠାରେ ଥିବା ମୈଥିଳି ବ୍ରାହ୍ମଣ ପରିବାରର ପୁଅଙ୍କୁ ବର ବେଶରେ ସଜାଇ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଯାଇଥାଏ। ୯ ଦିନ ଧରି ଚାଲୁଥିବା ଏହି ମେଳାରେ ବହୁ ସଂଖ୍ୟାରେ ବରପାତ୍ର ଯୋଗ ଦେଇଥାଆନ୍ତି। ସୌରଥସଭା ନାଁରେ ପ୍ରସିଦ୍ଧ ଏହି ମେଳା ଜ୍ୟେଷ୍ଠ-ଆଷାଢ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଆଉ ଏମାନଙ୍କୁ ବିବାହ କରିବା ଲାଗି କନ୍ୟା ଘରର ଲୋକେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଏଠାକୁ ଧାଇଁ ଆସିଥାଆନ୍ତି। ଏଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି ସ୍ଥାନୀୟ ଜ୍ୟୋତିଷ। କଥାହେଲା କନ୍ୟା ଘରର ଲୋକେ ଯେଉଁ ବରପାତ୍ରକୁ ପସନ୍ଦ କରନ୍ତି ତାଙ୍କର ୭ ପୀଢି ଓ କନ୍ୟା ଘରର ସାତ ପୀଢିର ହିସାବ ମାଗି ଥାଆନ୍ତି ଜ୍ୟୋତିଷ। ଯେମିତି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥାଏ। ଯଦି କୌଣସି ସମ୍ପର୍କ ମିଳିଥାଏ ତେବେ ସେହି ବରପାତ୍ରକୁ ପସନ୍ଦ କରିଥିବା କନ୍ୟାଘର ଲୋକେ ନିଜ କନ୍ୟାକୁ ସେଠାରେ ବିବାହ ଦେଇ ପାରନ୍ତି ନାହିଁ। ଜ୍ୟୋତିଷଙ୍କ ମତରେ ଉଭୟଙ୍କ ମଧ୍ୟରେ ଯଦି ପୂର୍ବରୁ ସମ୍ପର୍କ ରହିଥିବ ତେବେ ରକ୍ତ ସମାନ ହୋଇଯିବ ଯାହା ଦମ୍ପତିଙ୍କ ପାଇଁ ଭଲ ନୁହେଁ ବୋଲି କୁହନ୍ତି। ବର ହାଟ ବସିବାର ପରମ୍ପରା ପ୍ରାୟ ୭ଶହ ବର୍ଷ ପୂର୍ବର ହୋଇଥିବା ବେଳେ ୧୯୭୧ରେ ଏଠାରେ ପ୍ରାୟ୧.୫ ଲକ୍ଷ ବରଙ୍କର ବିବାହ ହୋଇଥିବା କୁହାଯାଏ। ଏବେ କିନ୍ତୁ ଏହି ସଂଖ୍ୟା କମି ଯାଇଥିବା କୁହନ୍ତି ସ୍ଥାନୀୟ ଲୋକେ।

Share