ଜଳେଶ୍ୱର,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଥିବା ଘରୋଇ ହୋଟେଲଗୁଡ଼ିକରେ ଦେହ ବ୍ୟବସାୟ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ ବାସିନ୍ଦା ପୋଲିସ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଏଭଳି ଦେହ ବ୍ୟବସାୟ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ତତ୍ପର ହୋଇପଡିଛି। ଶୁକ୍ରବାର ରାତିରେ ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର ଜଳେଶ୍ୱର ପୋଲିସ ସହାୟତାରେ ଷ୍ଟେଶନ ବଜାରରେ ଥିବା ଡାଇମଣ୍ଡ ହୋଟେଲରେ ଚଢ଼ାଉ କରିଥିଲେ। ଏହି ସମୟରେ କେହି ଧରାପଡି ନ ଥିଲେ ମଧ୍ୟ ହୋଟେଲ ଗୃହରୁ ବହୁ ଆପତ୍ତିଜନକ ଜିନିଷ ଓ ରେଜିଷ୍ଟର ଜବତ କରାଯାଇଛି। ଉକ୍ତ ହୋଟେଲକୁ ରବିବାର ସିଲ୍ କରାଯିବା ସହ ହୋଟେଲର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।