ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ: ଆଖି ବୁଜିଲେ କାର୍ତ୍ତିକ ମେହେର

ବରଗଡ଼ ଅଫିସ୍‌, ୨୮ା୧୨: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗାଁର କାର୍ତ୍ତିକ ମେହେରଙ୍କ ମୃତ୍ୟୁ ଘଟିଛି। ଭାଇ କେଶବ ଦିଲ୍ଲୀ ଯାଇ ମୃତଦେହକୁ ସଂସ୍କାର କରିଛନ୍ତି। କାର୍ତ୍ତିକଙ୍କ ମୃତ୍ୟୁ ସମ୍ପର୍କରେ ଦିଲ୍ଲୀ ପୋଲିସ ବିଧିବଦ୍ଧ ଭାବେ ଯୋଗାଯୋଗ କରି ନ ଥିବା ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି। ଗତ ୧୮ ତାରିଖରେ ଇଣ୍ଡିଆ ଗେଟ୍‌ଠାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ କାର୍ତ୍ତିକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ନବେ ଭାଗ ପୋଡି ଯାଇଥିଲା। ତାଙ୍କୁ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରପାଲି ସଭାରେ ଚପଲ ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ ।

Share