ଦୈତାରୀରେ ଦନ୍ତା ଆତଙ୍କ: ଘର ଭାଙ୍ଗିଲା, ଆକ୍ରମଣରେ ସିଆଇଏସ୍‌ଏଫ୍‌ ଯବାନ ଗୁରୁତର

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଖଣି ଅଞ୍ଚଳରେ ପ୍ରଥମେ ବାଘ ପରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଉପଦ୍ରବରେ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜଣେ ସିଆଇଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଜଣକ ହେଲେ ବଙ୍ଗାଳୀ ସୋରେନ। ଦୈତାରି ଥାନା ନିକଟରେ ଗୁରୁବାର ରାତିରେ ବଣୁଆ ଦନ୍ତା ହାତୀ ବଙ୍ଗାଳୀଙ୍କ ଘର ଭାଙ୍ଗିବା ସହ ପେଟକୁ ଭୁସି ଦେଇଛି। ତାଙ୍କୁ ଚିକିତ୍ସା ଲାଗି କଳିଙ୍ଗନଗର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ଜଣେ ସିଆଇଏସ୍‌ଏଫ୍‌ ଯବାନ ଭାବେ ରାଉରକେଲାରେ ଚାକିରି କରୁଛନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଛୁଟି କଟାଇବା ପାଇଁ ଘରକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି।

ପ୍ରକାଶ ଯେ, ରାତିରେ ଦୈତାରୀର ଫର୍ଟି ଟୁନାମେଣ୍ଟ ଅଞ୍ଚଳର କୁନା ସୋରେନ ଓ ବଙ୍ଗାଳି ସୋରେନ ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ପ୍ରଥମେ ଘରକୁ ଭାଙ୍ଗିଥିଲା । ଘର ଭାଙ୍ଗିବା ଶବ୍ଦ ଶୁଣି କୁନା ଗ୍ରୀଲ ପାଖକୁ ଆସି ହାତୀ ଘର ଭାଙ୍ଗୁଥିବାର ଦୃଶ୍ୟ ଦେଖିଥିଲେ । କୁନା ତାର ଭାଇ ବଙ୍ଗାଳୀ ଏବଂ ଘରର ସମସ୍ତ ସଦସ୍ୟଙ୍କୁ ଉଠାଇ ଘଟଣା ସମ୍ପର୍କରେ ଜଣାଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଘର ବାହାରକୁ ଦୈାଡି ପଳାଉଥିବା ସମୟରେ ହାତୀଟି ଦୈାଡି ଯାଇ ଘରର କିଛି ଦୂରରେ ବଙ୍ଗାଳୀକୁ ମରଣାନ୍ତକ ଆକ୍ରମଣ କରିଥିଲା। ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତି ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇ ବଙ୍ଗାଳୀ ଗୁରୁତର ହୋଇଛନ୍ତି। ଖବର ପାଇ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ପରିବାର ଓ ସରପଞ୍ଚ ସହ ଆଲୋଚନା କରିଥିଲେ। ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Share