ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା କରାଯାଇଥିଲା। ସେତେବେଳେ ଉଭୟ ଟେଷ୍ଟ କିଟ୍‌ ଏବଂ ପିପିଇ କିଟ୍‌ ମଧ୍ୟ କମ୍‌ ସଂଖ୍ୟାରେ ମିଳୁଥିଲା। ଏଇ ୫୦ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ୧୭ ତାରିଖରେ ସର୍ବାଧିକ ୧୫୬୧ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ଏଯାବତ୍‌ ସର୍ବମୋଟ କୋଭିଡ୍‌ ପରୀକ୍ଷା ୨୦ ହଜାର ଟପିସାରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଶାସନ ସଚିବ ଟୁଇଟ୍‌ ଯୋଗେ ଏସ୍‌ସିବି କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବେ ଏହି ସଫଳତା ପରେ ଏସ୍‌ସିବି ଦୈନିକ ୨ ହଜାର କୋଭିଡ୍‌ ପରୀକ୍ଷା କରିବା ପାଇଁ ଟାର୍ଗେଟ୍‌ ରଖିଛି। ଏଥିପାଇଁ ଏସ୍‌ସିବି ଅଣୁଜୀବ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ବିଭାଗୀୟ ମୁଖ୍ୟ ଡା. ନିରୁପମା ଚୟନୀ କହିଛନ୍ତି। ପ୍ରାୟ ୬ ଜଣ ଡାକ୍ତରଙ୍କୁ ମିଶାଇ ୪୦ ଜଣ ଉତ୍ସର୍ଗୀକୃତ କର୍ମଚାରୀ ଦୁଇଟି ସିଫ୍ଟରେ ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି। ଏନେଇ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। ଏହା ବ୍ୟତୀତ କର୍ମଚାରୀମାନେ ମଧ୍ୟ ଅତିରିକ୍ତ ସମୟ ଦେଇ କାମ କରୁଛନ୍ତି।

Share