ଦୈନିକ ୪ ଘଣ୍ଟା ଖୋଲିବ ସବୁ ଆର୍‌ଟିଓ

ଭୁବନେଶ୍ୱର, ୨୮ା୩(ବ୍ୟୁରୋ): ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଦୈନିକ ୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟରେ ୩ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ। ଖୋର୍ଦ୍ଧା, ବଡ଼ବିଲ ଏବଂ ରାଇରଙ୍ଗପୁରର ଅତିରିକ୍ତ ଆର୍‌ଟିଓ କାର୍ଯ୍ୟାଳୟ କେବଳ ଖୋଲା ରହିବ। ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଶୁକ୍ରବାର ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କାର୍ଯ୍ୟଦିବସଗୁଡ଼ିକରେ କେବଳ ଖୋଲା ରହିବ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ସବୁ ଆର୍‌ଟିଓ ଏବଂ ୩ ଅତିରିକ୍ତ ଆର୍‌ଟିଓ ଅଫିସ୍‌ ପାଇଁ ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କରୋନା ଭାଇରସ୍‌ ଦୈନିକ କିପରି ଦେଶରେ ବ୍ୟାପିବାରେ ଲାଗିଛି ତାହା ଦେଖିବାକୁ ମିଳୁଛି। ଏହାର ପ୍ରତିଷେଧକ ବ୍ୟବସ୍ଥା ଭାବେ ସରକାର ସବୁ ଜିଲାରେ ଲକ୍‌ଡାଉନ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହାସହ ଲୋକମାନଙ୍କୁ ନିଜ ଘରେ ରହି କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଅନୁରୋଧ କରାଯାଉଛି। ଏହି ସମୟରେ ସବୁ ଆର୍‌ଟିଓ ଏବଂ ଅତିରିକ୍ତ ଆର୍‌ଟିଓ କାର୍ଯ୍ୟାଳୟକୁ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ୨୪ଘଣ୍ଟା ସତର୍କ ରହିବାକୁ ପଡ଼ିବ। ଅତ୍ୟାବଶ୍ୟକ ମାଲ୍‌ ପରିବହନ କରୁଥିବା ଗାଡ଼ି ଏବଂ ଲୋକଙ୍କ ଜରୁରୀ ସମସ୍ୟା ଦିଗରେ ଏମାନଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଛି।

Share