ଛତ୍ରପୁର, ୨୫।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଘରୋଇ ଔଷଧ ଦୋକାନୀଗୁଡ଼ିକ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାଧ୍ୟତାମୂଳକ କରିଥିଲେ। ଏହି ପରିପ୍ରେକ୍ଷୀରେ ଔଷଧ ଦୋକାନୀଗୁଡ଼ିକ ତଥ୍ୟ ଦେବାପରେ ରିପୋର୍ଟ ପଦାକୁ ଆସିଛି । ରୋଗୀ ପାଇଁ କେଉଁ ସମ୍ପର୍କୀୟ କିମ୍ବ ରୋଗୀ ନିଜେ କ’ଣ ଔଷଧ କିଣିଛନ୍ତି, କେଉଁ ରୋଗ ଅଛି, କିଣିଥିବା ବ୍ୟକ୍ତିଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ଦୋକାନୀ ପାଇଥିଲେ। ଏଥିରୁ ଜଣାଯାଇଛି ଯେ, ୨୦ ଜଣଙ୍କ ଠାରେ କୋଭିଡ ଲକ୍ଷଣ ଅଛି। ତେବେ ଏମାନଙ୍କ ସ୍ବାବ ଟେଷ୍ଟ ପରେ ସ୍ପଷ୍ଟ ଜଣାପଡିବ। ୧୫ ଜଣଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଓ ୫ ଜଣଙ୍କ ଠାରେ ଫ୍ଲୁ ରହିଛି। ଏଥିମଧ୍ୟରେ ବ୍ରହ୍ମପୁର ଓ କବିସୂର୍ଯ୍ୟନଗରର ୪ ଜଣ ଲେଖାଏ, ବେଗୁନିଆପଡ଼ା ଓ ପୁରୁଷୋତ୍ତମପୁରର ୩ ଜଣ ଲେଖାଏ, ହିଞ୍ଜିଳିର ୨ ଜଣ ଏବଂ କୋଦଳା, କନିସି, ରଙ୍ଗେଈଲୁଣ୍ଡା, ଛତ୍ରପୁରର ଜଣେ ଲେଖାଏ ରହିଛନ୍ତି। ଶୁକ୍ରବାର ଜ଼ିଲାର ୨୦୫ ଦୋକାନରୁ ୧୫୪୭ ଜଣ ଔଷଧ କିଣିଥିଲେ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ଜ଼ିଲାପାଳ ଏହି ନିର୍ଦ୍ଦେଶ ଦେଇଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ