ଦୋକାନର ମାଲିକାନା ଦାବି: ମହିଳାଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୯।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରରେ ଥିବା ଏକ ଜଳଖିଆ ଦୋକାନର ମାଲିକାନା ଦାବି କରି ବୁଧବାର ଜଣେ ବୟସ୍କ ମହିଳା ଧାରଣାରେ ବସିଛନ୍ତି। ସେ ହେଲେ ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୁଳଗାଁଇଶାଳ ଗ୍ରାମର ସ୍ବର୍ଗତ ଗଣେଶ ଚନ୍ଦ୍ର ଖୁଣ୍ଟିଆଙ୍କ ସ୍ତ୍ରୀ ଉର୍ମିଳା (୫୫)।
ଏହି ଦୋକାନକୁ ସେ ନିଜର ବୋଲି ଦାବି କରି ସେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଗଣେଶ କଟିକଟା ବଜାରସ୍ଥିତ ଏକ ସରକାରୀ ଜମିରେ ଘର କରି ଦୀର୍ଘ ବର୍ଷ ହେବ ଦୋକାନ କରିଥିଲେ। ତାଙ୍କ ମୃତ୍ୟୁପରେ ଉକ୍ତ ଦୋକାନ ଘରେ ହରିରାଜପୁର ଗ୍ରାମର କାର୍ତ୍ତିକ ବେହେରା ଓ ଧନେଶ୍ୱର ବେହେରା ଜଳଖିଆ ଦୋକାନ କରିଆସୁଥିଲେ। ମାତ୍ର ଦୋକାନ ଘରର ମାଲିକାନାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ବଜାର କମିଟି ହସ୍ତକ୍ଷେପ କରିବା ସହ ଉଭୟ ପକ୍ଷରୁ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଗଣେଶଙ୍କ ସ୍ତ୍ରୀ ଉର୍ମିଳା ଦୋକାନରେ ପହଞ୍ଚି ନିଜର ବୋଲି ଦାବି କରି ଧାରଣା ଦେଇଛନ୍ତି। ଖବରପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସେଠାରେ ପହଞ୍ଚି ଉର୍ମିଳାଙ୍କୁ ବୁଝାଶୁଝା କରିଥିଲା। ମାତ୍ର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିଥିଲେ। ଏସମ୍ପର୍କରେ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା କହିଛନ୍ତି, ଊର୍ମିଳାଙ୍କୁ ଧାରଣାରୁ ଓହରିବା ପାଇଁ ନିବେଦନ କରାଯାଇଛି। ମାତ୍ର ସେ ଜିଦ୍‌ରେ ଅଟଳ ରହିଛନ୍ତି। ତେବେ ସରକାରୀ ଜାଗାରେ ଦୋକାନ ଥିବାରୁ ଆବଶ୍ୟକ ପଡିଲେ ସ୍ଥାନୀୟ ତହସିଲଦାରଙ୍କ ସହାୟତା ନିଆଯିବ ବୋଲି ପରିଡା ସୂଚନା ଦେଇଛନ୍ତି।

Share