ଦୋକାନ ବଜାର ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶର ଅଫିସ, ୨୦ା୫-ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରଠାରୁ ବ୍ୟବସାୟିକ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲେ ମଧ୍ୟ ମଧ୍ୟ କାହା ପାଖରେ କୌଣସି ସ୍ପଷ୍ଟ ସୂଚନା ନ ଥିବାରୁ ବ୍ୟବସାୟୀଙ୍କ ମହଲରେ ଅନିଶ୍ଚିତତା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦୋକାନ ବଜାର ଖୋଲିବା ସହ ପ୍ରବାସୀ ଓଡିଆଙ୍କ ପାଇଁ ଅଧିକରୁ ଅଧିକ ଟ୍ରେନ ବ୍ୟବସ୍ଥା, କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ଛୋଟ ମଧ୍ୟମ ବ୍ୟବସାୟୀ ଓ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଦୋକାନ ବଜାର ଖୋଲିବା ନିମନ୍ତେ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ଜାରି କରିବା ଲାଗି ଦାବି କରିଥିଲେ। ଜିଲାପାଳ ସମ୍ମତି ପ୍ରଦାନ କରି ଆସନ୍ତା ୨୦ତାରିଖରୁ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦୋକାନ ପର୍ଯ୍ୟାୟ ପର୍ଯ୍ୟାୟରେ ସପ୍ତାହକୁ ୬ଦିନ ଖୋଲିବ ବୋଲି ସ୍ଥିର କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଜିଲା ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଯୁବ ନେତା ବିଭୁପଦ ଦାସ, ପିଣ୍ଟୁ ପଣ୍ଡା ଓ ରଞ୍ଜିତ ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।