ଦୋକାନ ସଟର୍‌ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା

ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି କ୍ୟାସ୍‌ କାଉଣ୍ଟରରୁ ୮୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ପୋଲିସ ୧୪୬/୧୯ ରେ ଏକ ମାମଲା ରୁଜୁ କରିଛି।

ପ୍ରକାଶ ଯେ, ହରିଡ଼ାଖଣ୍ଡି ଶାନ୍ତି ନଗରର ମିଳନ କୁମାର ସାହୁ ଭାପୁର ବଜାରରେ ସାହୁ ଫୁଡ୍ସ ନାମକ ଏକ ଦୋକାନ କରିଛନ୍ତି। ସେଠାରେ ସେ କୋଲ୍ଡ ଡ୍ରିଂକ୍ସ, ଆଇସ୍‌କ୍ରିମ୍‌, ଚକୋଲେଟ୍‌ ଓ ବିସ୍କୁଟ ଆଦି ବିକ୍ରି କରନ୍ତି। ପ୍ରତିଦିନ ଭଳି ରବିରାତ୍ର ଦୋକାନ ବନ୍ଦ କରି ସେ ଘରକୁ ଯାଇଥିଲେ। ସୋମବାର ସକାଳେ ତାଙ୍କ ଦୋକାନର ସଟର୍‌ ଭଙ୍ଗା ହୋଇଥିବା ନେଇ ଜଣେ ଦୋକାନି ତାଙ୍କୁ ଖବର ଦେଇଥିଲେ। ପରେ ସେ ଦୋକାନରେ ପହଞ୍ଚିଥିଲେ। ଦୋକାନରୁ ଚୋରି ହୋଇଥିବା ସନ୍ଦେହ କର ସେ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ସୋମବାର ଦୋକାନ ଭଡା ଓ ଅନ୍ୟ ବ୍ୟବସାୟୀଙ୍କୁ ଦେବାପାଇଁ ରବିବାର ରାତ୍ର ଦୋକାନ ମାଲିକ ସାହୁ ତାଙ୍କ ଦୋକାନର କେସ କାଉଣ୍ଟରରେ ୮୦ ହଜାର ଟଙ୍କା ରଖିଥିଲେ। ଚୋରମାନେ ଉକ୍ତ ଟଙ୍କା ଚୋରି କରି ନେଇଯାଇଥିବା ପୋଲିସ ସନ୍ଦେହ କରୁଛି। ମାର୍କେଟ ରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ ଚଳାଇଥିବା କହିଛି। ଢିଲା ପାଟ୍ରୋଲିଂ ଯୋଗୁ ଚୋରମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି।

Share