ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫

ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର ଜଣେ ମଦ ବ୍ୟବସାୟୀ ଅନ୍‌ଲାଇନ୍‌ରେ ମଦ ବିକିବା ପରିବର୍ତ୍ତେ ସିଧାସଳଖ ଟୋକନ କାଟି ଦୋକାନରୁ ଲୋକଙ୍କୁ ମଦ ବିକିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ଉକ୍ତ ଦୋକାନରୁ ସରକାରୀ ଦରରେ ମଦ କିଣି କେତେଜଣ ଦଲାଲ ସେଠାରେ କଳାବଜାର କରିଥିବା ଆଲୋଚନା ହେଉଛି। ତେବେ ଏପରି ବେଆଇନ କାର୍ଯ୍ୟ ସତ୍ତ୍ୱେ ପ୍ରଶାସନ କି ପୋଲିସ ସେଠାରେ ନ ପହଞ୍ଚିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୋଗରୁ ପ୍ରକାଶ ଯେ, ମଦ ଦୋକାନ ଗୁଡ଼ିକ ଖୋଲାଯାଇ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା। କେହି ବି କାଉଣ୍ଟରରେ ସିଧାସଳଖ ଗ୍ରାହକଙ୍କୁ ମଦ ନ ଦେବାକୁ କୁହାଯାଇଥିଲା। ଅନୁଗୋଳ ଗାନ୍ଧୀମାର୍ଗ ଓ ତାଳଚେରରେ ଥିବା ମଦ ଦୋକାନ ଖୋଲିବାକୁ ଜଣେ ବ୍ୟବସାୟୀଙ୍କୁ ଅନୁମତି ମିଳିଥିଲା। ଅବକାରୀ ବିଭାଗର ଅଧିକାରୀମାନେ ଉକ୍ତ ଦୋକାନରେ ଥିବା ମଦର ପରିମାଣ ଓ ଷ୍ଟକ୍‌ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ। ପରେ କୋଭିଡ୍‌ ଚାର୍ଜ ଅଲଗା ଲଗାଇ ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଦୋକାନ ଆଗରେ ଫୋନ୍‌ ନମ୍ବର ଲଗାଯାଇଥିଲା। କିନ୍ତୁ ଉକ୍ତ ନିର୍ଦ୍ଦେଶର ଅବମାନନା କରାଯାଇ ଶର୍ଟର ଟେକି ଦୋକାନ ମ୍ୟାନେଜର ସିଧାସଳଖ ଗ୍ରାହକଙ୍କୁ ମଦ ବିକ୍ରି ଆରମ୍ଭ କରିଥିଲେ। ଏହି ସମୟରେ କେତେଜଣ ଦଲାଲ ୯୫୦ ଟଙ୍କାରେ ମଦ କିଣି ୧୨ଶହ ଟଙ୍କାରେ ତାହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ସାମାଜିକ ଦୂରତା ନ ରଖି ଶହ ଶହ ଲୋକ ମଦ ବୋହି ନେଇଥିଲେ। ଘଟଣା ସମ୍ପର୍କରେ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ କହିଛନ୍ତି, ସରକାର ରଖିଥିବା ସର୍ତ୍ତରେ ବ୍ୟବସାୟୀ ଜଣଙ୍କ ରାଜି ହେବାରୁ ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ଦୋକାନ ଆଗରେ ପୋଲିସ ମୁତୟନ କରିବାକୁ ଅନୁଗୋଳ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, କେଉଁ ଜାଗାରେ ମଦ ଦୋକାନ ଖୋଲିଛି ଆମ ନିକଟରେ ସୂଚନା ନାହିଁ। ତଥାପି ଘଟଣାର ଅନୁଧ୍ୟାନ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Share