Advertisement

‘ଦୋଳଗୋବିନ୍ଦ ଥିଲେ କଟକର ଦ୍ୱିତୀୟ ସୁଭାଷ ଚନ୍ଦ୍ର’

କଟକ ସଦର, ୭ା୯(ଡି.ଏନ୍‌.ଏ.): ସମାଜ ପାଇଁ ମହାପୁରୁଷମାନେ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ସେହିପରି ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନ ମଧ୍ୟ ଲୋକଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ସେଥିପାଇଁ ସେ କଟକର ଦ୍ୱିତୀୟ ସୁଭାଷ ଚନ୍ଦ୍ର ବୋଷ ବୋଲି ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। କଟକ ସଦର ବ୍ଲକ ଅନ୍ତର୍ଗତ ଡିହସାହି(ଗତିରାଉତପାଟଣା)ରେ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଲାଲ ଯୋଗଦେଇ ଏହା କହିଥିଲେ। ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ଅହିଂସା ଏତିହ୍ୟ ପ୍ରତିଷ୍ଠାନ ନ୍ୟାସ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ପ୍ରତିଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବୁଦ୍ଧଦେବ ମିଶ୍ର ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅତିଥିଭାବେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପ୍ରଧାନଙ୍କୁ ଜଣେ ଜଣାଶୁଣା ଲୋକପ୍ରତିନିଧି ବୋଲି କହିଥିଲେ। ପ୍ରଧାନଙ୍କ ଗାନ୍ଧୀ ନୀତି ଆଗାମୀ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ପୁସ୍ତକ ‘ଗାନ୍ଧୀ ମଣିଷ ଦୋଳଗୋବିନ୍ଦ’ର ଉନ୍ମୋଚନ କରାଯାଇଥିଲା। ମହାତ୍ମା ଗାନ୍ଧୀ ଅହିଂସା ଏତିହ୍ୟ ପ୍ରତିଷ୍ଠାନ ନ୍ୟାସର ସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉତ୍ସବକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ ବିଜୟ କୁମାର ପ୍ରଧାନ, ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ପୃଥ୍ବୀରାଜ ପ୍ରଧାନ, ପ୍ରଜ୍ଞରାଜ ପ୍ରଧାନ, ଝିଅ ଡଲି, ଲିଲିଙ୍କ ସମେତ କଟକ ଓ ଜଗତ୍‌ସିଂହପୁର ଜିଲାର ବହୁ ବୁଦ୍ଧିଜୀବୀ, ସାହିତି୍ୟକ, ରାଜନେତା ଓ ପ୍ରଶାସକ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share