Advertisement

ଦୋଳି ଖେଳିବା ହେଲା କାଳ, ଫସିଯାଇ ନାବାଳିକା ମୃତ

ନୟାଗଡ଼ ଅଫିସ,୨୧ା୬: ନୟାଗଡ଼ ପୌରପରିଷଦ ୯ ନମ୍ବର ୱାର୍ଡ ହାଟପଦା ସାହିରେ ଜଣେ ନାବାଳିକାଙ୍କ ପାଇଁ ଦୋଳି ଖେଳିବା କାଳ ହୋଇଛି। ଦୋଳି ରଶି ବେକରେ ଫସି ଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହାଟପଦା ସାହିର ମହେଶ୍ୱର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ(୧୧)।
ପ୍ରକାଶ ଯେ, ଶୁକ୍ରବାର ଘରେ କେହି ନ ଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଲକ୍ଷ୍ମୀପ୍ରିୟା ବାରିପଟ ଘରେ ଲାଗିଥିବା ଦୋଳି ଖେଳିବାକୁ ଯାଇଥିଲେ। ଦୋଳି ଖେଳୁଥିବା ବେଳେ ରଶିରେ ତାଙ୍କ ବେକ ଫସି ଯାଇଥିଲା। ଏହାର କିଛି ସମୟ ପରେ ଲକ୍ଷ୍ମୀପ୍ରିୟାଙ୍କ ଜେଜେ ବାପା ବାରିପଟେ ନାତୁଣୀ ଦୋଳି ତଳେ ପଡ଼ିଥିବା ଦେଖିଥିଲେ। ଲକ୍ଷ୍ମୀଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel