Categories: ଗଞ୍ଜାମ

ଦୋଳି ଖେଳ ହେଲା କାଳ, ଦଉଡ଼ିରେ ଗଲା ନାବାଳିକାଙ୍କ ଜୀବନ

ହିଞ୍ଜିଳିକାଟୁ,୨୨ା୬ (ଡି.ଏନ୍‌.ଏ)-ଦୋଳଖେଳ ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି। ଦଉଡ଼ି ତାଙ୍କ ବେକରେ ଅସାବଧାନତାରୁ ଛନ୍ଦି ହୋଇଯିବାରୁ ତାଙ୍କ ଜୀବନ ଯାଇଛି। ରଜ ଦିନଠାରୁ ଘରେ ବନ୍ଧା ଯାଇଥିଲା ଦୋଳି। ଦୋଳି ଖେଳୁଥିବା ସମୟରେ ସେହି ଦୋଳି ଛିଣ୍ଡି ବେକରେ ଗୁଡ଼ାଇ ହୋଇଯିବାରୁ ଶନିବାର ଅପରାହ୍ନରେ ଜଣେ ନାବାଳିକାକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମୋହନ କଲୋନୀ ଅଞ୍ଚଳରେ। ମୃତକ ଜଣକ ହେଲେ ଅରୁଣ ମହାନ୍ତିଙ୍କ ଝିଅ ଅର୍ପିତା (୧୧)।
ଅର୍ପିତା ଦୋଳି ଖେଳୁଥିଲେ। ଏହି ସମୟରେ ଦୋଳିର ଗୋଟିଏ ପାର୍ଶ୍ୱ ଦଉଡ଼ି ଛିଣ୍ଡିଯାଇ ତାଙ୍କ ବେକରେ ଗୁଡ଼ାଇ ହୋଇଯିବାରୁ ସେ ଝୁଲି ରହିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିଞ୍ଜିଳି ପୋଲିସ ମୃତଦେହ ଜବତ କରି ନଂ.୧୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା।