Categories: ଜାତୀୟ

ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଦୋଷୀ ଫାଶୀରୁ ମୁଳୁଳିବାକୁ କରିଚାଲିଥିବା ଗୋଟିଏ ପରେ ଗୋଟିଏ ଉଦ୍ୟମ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପବନଙ୍କ କ୍ୟୁରେଟିଭ ପିଟିଶନ ଖାରଜ ହେବା ପୂର୍ବରୁ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେଉଁଠି ନ୍ୟାୟ ପାଇବାକୁ ସେ ଦୀର୍ଘ ୭ ବର୍ଷ ହେବ ଅପେକ୍ଷା କରିଛନ୍ତି ସେଠାରେ ସେ ଦୋଷୀଙ୍କୁ କେବେବି କ୍ଷମା ଦେଇ ପାରିବେ ନାହିଁ। କାରଣ ତାଙ୍କ ଝିଅ ନିର୍ଭୟାର କ’ଣ ଦୋଷ ଥିଲା ବୋଲି ସେ ପ୍ରଶ୍ନ କରିବା ସହ କାହିଁକି ସେ ଦୋଷୀଙ୍କୁ କ୍ଷମା କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଦୋଷୀ ପବନ ତାଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କରିବାକୁ କୋର୍ଟରେ ଆବେଦନ କରିଥିବା ବେଳେ ଏବେ ଏହା ଖାରଜ ହୋଇଯାଇଛି। ଅନ୍ୟ କେତେଜଣ ଦୋଷୀଙ୍କୁ କ୍ଷମା କରିଦେବାକୁ ନିର୍ଭୟାଙ୍କ ମା’ଙ୍କୁ କହୁଥିବା ବେଳେ ସେ ଏହାର ପାଲଟା ପ୍ରଶ୍ନ ପଚାରିଛନ୍ତି।

Share