Categories: ଯାଜପୁର

ଦୌଡ଼ରାଣୀ ଦୂତୀଙ୍କ ଖୁଦୁରୁକୁଣୀ ଓଷା:ଯୋଗଦେଲେ ଜିଲାପାଳ, ଏସ୍‌ପି, ବିଧାୟିକା, ସିନେତାରକା

ରସୁଲପୁର,୧୧।୯(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥିଲା। ଅନ୍ତର୍ଜାତୀୟ ଧାବିକା ଦୌଡ଼ରାଣୀ ଦୂତୀ ଚାନ୍ଦ ଗାଁକୁ ଫେରି ଅନ୍ୟ ଝିଅଙ୍କ ସହ ମିଶି ରବିବାର ଖୁଦୁରୁକୁଣୀ ଓଷା ପାଳନ କରିଥିଲେ। ଦୂତିଙ୍କ ସହ ଓଷା କରିବାକୁ ନେଇ ଗାଁର ଯୁବତୀମାନେ ବିଶେଷ ଉତ୍ସାହିତ ଥିଲେ ା ମଙ୍ଗଳବାର ଶେଷ ଦିନରେ ପ୍ରଶାସକ, ନେତା, ସେଲିବ୍ରିଟିଙ୍କ ଗହଣରେ ବ୍ରତଧାରୀମାନେ ଖୁସି ମନାଇ ଥିଲେ। ଦର୍ଶକମାନେ ବି ଖୁବ୍‌ ଭିଡ ଜମାଇଥିଲେ। ବେଶି ଭିଡ଼ ଜମିଥିଲା ସିନେତାରକାଙ୍କୁ ଦେଖିବାକୁ ନେଇ। ସେମାନଙ୍କ ସହ କରମର୍ଦ୍ଦନ ଓ ସେଲ୍‌ଫି ନେବାକୁ ଝିଅମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଦେଖାଯାଇଥିଲା। ଅତିଥିଙ୍କ ଉପସ୍ଥିତିରେ ସାଂସ୍କୃତିକ ମଞ୍ଚରୁ ନାଚ, ଗୀତ, ଅନୁଭବ, ଅନୁଭୂତି, ଅନୁଶାସନ ଭରା ମତାମତରେ ଦର୍ଶକ ବିଭୋର ହୋଇଉଠିଥିଲେ। ସମସ୍ତେ ଦୂତୀଙ୍କ ପ୍ରସଂଶାରେ ଶତମୁଖ ହୋଇଉଠିଥିଲେ। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ବରୀ ବିଧାୟିକା ସୁନନ୍ଦା ଦାସ, ସିନେତାରକା ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗଦେଇ ଗାଁର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ। ବିଭିନ୍ନ ପୂଜା ସ୍ଥାନ ବୁଲିବାପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ। ଦୂତୀ ବାହିନୀପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦୂତୀ ନିଜର ଅଧ୍ୟାବସାୟ, କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ମାତ୍ର ସେ ଜଣେ ସାଧାରଣ ଝିଅ ଭଳି ଗାଁର ଯୁବତୀଙ୍କ ସହ ମିଶି ଖୁଦୁରୁକୁଣୀ ଓଷା ପାଳନ କରି ମହାନତାର ନିର୍ଦଶନ ଦେଇଛନ୍ତି ା ତାଙ୍କ ଯୋଗୁ ଗୋପାଳପୁର ଗାଁ ଆଜି ସମଗ୍ର ବିଶ୍ୱ ଦରବାରରେ ପରିଚିତ ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା।