ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର ବୁଦ୍ଧାଦିତ୍ୟ ବିଗତ ଦିନର ବିସ୍ମୟ ବାଳକ ବୁଦ୍ଧିଆ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁକ୍ରବାର ମାରାଥନ୍ରେ ଆରମମ୍ଭରୁ ଶେଷଯାଏ ସେ ଦୌଡ଼ିଥିଲେ। ମାରାଥନ୍ରେ ଅଫିସିଆଲ ଭାଗନେବାକୁ ସେ ପିତାଙ୍କ ସହ ଆସିଥିଲେ। କିନ୍ତୁ ୫ ବର୍ଷର ଶିଶୁ ହୋଇଥିବାରୁ ଆୟୋଜକ ଗୋପବନ୍ଧୁ କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ ସେଥିପାଇଁ ସେ ଦୁଃଖିତ ନ ଥିବା କୋମଳମତି ସ୍ବରରେ କହିଛନ୍ତି। ପୂର୍ବରୁ ବୁଦ୍ଧାଦିତ୍ୟ ୭ ଘଣ୍ଟାରେ ୭୨ କି.ମି. ଦୌଡ଼ିଥିବା ତାଙ୍କ ପିତା କୁହନ୍ତି। ଓଡ଼ିଶା ପୋଲିସଠାରୁଆରମ୍ଭ କରି ଗୋଆ, ହାଇଦ୍ରାବାଦ ସହରରେ ମଧ୍ୟ ବୁଦ୍ଧାଦିତ୍ୟ ଦୌଡ଼ିଛନ୍ତି। ଏବେ ସେ ପାଠ ପଢ଼ିବା ସହ ସ୍ବର୍ଗୀୟ ବିରଞ୍ଚତ୍ ଦାସଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଅଭ୍ୟାସ କରୁଛନ୍ତି। ୫ ବର୍ଷର ବାଳକ ୧୪ କି.ମି. ଦୌଡ଼ିବା ବେଳେ ତାଙ୍କୁ ପ୍ରତି ଜାଗାରେ ଲୋକମାନେ ତାଳିମାରି ଉତ୍ସାହିତ କରିଥିଲେ। ଏପରି କି ଷ୍ଟାଡିୟମ୍ରେ ବୁଦ୍ଧାଦିତ୍ୟଙ୍କ ସହ ଅନେକ ସାଧାରଣ ଲୋକ ଓ ମିନିମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀ ସେଲ୍ଫି ନେଇଥିଲେ।