ଦୌଲତପୁର ମଦମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଭାଜପାର ବିକ୍ଷୋଭ, ତିହିଡ଼ି ଥାନା ଘେରାଉ

ତିହିଡି,୧୯।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଥାନା ଅଧୀନ ଦୌଲତପୁର ମଦ ମୃତ୍ୟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତମାନଙ୍କୁୁ ଗିରଫ କରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ ବୁଧବାର ମଧ୍ୟାହ୍ନରେ ଭାଜପା ପକ୍ଷରୁ ବିକ୍ଷୋଭ କରାଯିବା ସହ ତିହିଡ଼ି ଥାନା ଘେରାଉ କରାଯାଇଛି। ଦଳର ନେତା ଓ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପାଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଥାନା ସାମ୍ନାରେ ପ୍ରତିବାଦ ସଭା ଜିଲା ଉପସଭାପତି ଦୁର୍ଗାଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ,ଧାମନଗର ବିଧାୟକ ବିଷ୍ଣ ସେଠୀ, ଜିଲା ସଭାପତି ବଦ୍ରି ନାରାୟଣ ଧଳ, ଚାନ୍ଦବାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପ ଧଳ, ବାସୁଦେବପୁର ନେତା ମାଧବାନନ୍ଦ ମଲ୍ଲିକ, ଯୁବନେତା ଅଭିମନ୍ୟୁ ସେଠୀ ଓ ପଞ୍ଚାନନ ନାୟକ, ମଣ୍ତଳ ସଭାପତି ଶଶିକାନ୍ତ ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗଦେଇ ମୁଖ୍ୟ ଅଭିଯୁକ୍ତଙ୍କୁ ୭ଦିନ ଭିତରେ ଗିରଫ କରା ନ ଗଲେ ଏସପିଙ୍କ କାର୍ଯ୍ୟାଳୟ ଅଚଳ କରାଯିବ ବୋଲି ଚେତାବନୀ ଦେଇଥିଲେ। ପରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

Share