ଦ୍ରୁତଗତିରେ ଟ୍ରକ ଚଳାଇବାକୁ ନେଇ ଡ୍ରାଇଭରଙ୍କୁ ମାଡ଼: ଶାନ୍ତି କମିଟି ବୈଠକ ଜାରି

ଢେଙ୍କିକୋଟ, ୩୧ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଦ୍ରୁତଗତିରେ ଟ୍ରକ ଚଳାଚଳକୁ ନେଇ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ସାଢେ ୧୨ଟା ବେଳେ ସାନ୍ତରାପୁର ଗ୍ରାମର ଟୁକୁନା ପାତ୍ର (୩୦) ଏକ ୧୨ ଚକିଆ ଟ୍ରକକୁ ଦ୍ରୁତଗତିରେ ଚଳାଇ ଗାଁ ରାସ୍ତା ଦେଇ ଯାଉଥିଲେ ା ଏହା ଦେଖି ସାନ୍ତରାପୁର ମୁସଲିମ ବସ୍ତିର ଜଣେ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀ ବାଇକରେ ସେହି ଟ୍ରକ୍‌କୁ ପିଛା କରି ଢେଙ୍କିକୋଟ ବାରାହା ଟିପୁରା ଛକରେ ଅଟକାଇଥିଲେ ା ଏହା ପରେ ସେମାନେ ଟୁକୁନାଙ୍କୁ ଦ୍ରୁତ ଗତିରେ କାହିଁକି ଟ୍ରକ ଚଳାଉଛୁ ବୋଲି ପ୍ରଶ୍ନ କରିଥିଲେ ା ଏହାକୁ ନେଇ ଟୁକୁନାଙ୍କ ସହିତ ସେମାନଙ୍କ ବଚସା ହୋଇଥିଲା ା ଏହାପରେ ସେମାନେ ଟୁକୁନାକୁ ନିସ୍ତୁକ ମାଡ ମାରିଥିଲେ। ଏ କଥା ଜଣାପଡିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଗ୍ରାମବାସୀ ଏକାଠି ହୋଇ ଟୁକୁନାଙ୍କୁ ମାଡ଼ ମାରିଥିବା ଯୁବକଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ ା ଏଥିପାଇଁ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସଦଳବଳେ ସାନ୍ତରାପୁର ଗ୍ରାମରେ ପହଞ୍ଚି ପରିସ୍ଥିତକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ା ଖବର ପାଇ ଘଟଗାଁ ଥାନା ଆଇଆଇସି ବନ୍ଦନା ପାତ୍ର, ଏସ୍‌ଡିପିଓ ରବିନ୍ଦ୍ର ମଲିକ ପୋଲିସ ଫୋର୍ସ ସହିତ ସାନ୍ତରାପୁରରେ ପହଞ୍ଚି ଉଭୟ ପକ୍ଷକୁ ଡାକି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ା ହେଲେ କିଛି ଲାଭ ହୋଇ ନ ଥିଲା ା ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଛି ା ଏହାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ା ଶାନ୍ତି କମିଟି ଜରିଆରେ ଏହି ବିବାଦର ସମାଧାନ ପାଇଁ ୨ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ ା ଏହା ପରେ ବି ଶାନ୍ତି କମିଟିର ସଭାପତି ଅଲେଖଚନ୍ଦ୍ର ସିଂହ, ସମ୍ପାଦକ ସେକ ଆୟୁବ ହୋସେନ, ବସ୍ତି ମୁଖିଆ ସେକ ତାହିର, ପଞ୍ଚାୟତ ସରପଞ୍ଚ ଅନାଦି ଚରଣ ସିଂହ, ସମିତି ସଭ୍ୟ କାର୍ତ୍ତିକ ଚନ୍ଦ୍ର ସିଂହ, ସଦସ୍ୟ ସେକ ଦଲିଲ, ସେକ ରହିମ ସେକ ହାଇଦର, ପବିତ୍ର ମୋହନ ସିଂହ, ଭିମସେନ୍‌ ସିଂହ, କୀର୍ତ୍ତନ ବିହାରୀ ନାୟକ ପ୍ରମୁଖ ପଞ୍ଚାୟତ ସଭାଗୃହରେ ବସି ଏହି ବିବାଦର ସମାଧାନ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି।