ନୂଆଦିଲ୍ଲୀ,୧୯-୧୧:ଜିଡ଼ିପି ଖସିବା ସତ୍ତ୍ୱେ ମଧ୍ୟ ଭାରତ ଦ୍ରୁତ ଅଭିବୃଦ୍ଧଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାକୁ ସକ୍ଷମ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକସଭାରେ ସୋମବାର ମାନ୍ଦାବସ୍ଥାକୁ ନେଇ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୀତାରାମନ କହିଛନ୍ତି ଯେ, ଜି-୨୦ ଦେଶ ମଧ୍ୟରେ ଭାରତ ସବୁଠାରୁ ଦ୍ରୁତ ହାରରେ ବଢୁଥିବା ଅର୍ଥ ବ୍ୟବସ୍ଥା ହୋଇପାରିଛି। ୨୦୧୪-୧୯ ମଧ୍ୟରେ ଭାରତର ହାରାହାରି ଜିଡିପି ଅଭିବୃଦ୍ଧି ୭.୫% ରହିଛି। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ନେଇ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକରେ ପୂର୍ବାନୁମାନ କରାଯାଇଛି । ଏହା ସତ୍ତ୍ୱେ ଭାରତ ଜିଡିପିରେ କିଛିଟା ହ୍ରାସ ସତ୍ତ୍ୱେ ଜି-୨୦ ଦେଶ ମଧ୍ୟରେ ସବୁଠାରୁ ତ୍ୱରିତ ବଢୁଥିବା ଅର୍ଥ ବ୍ୟବସ୍ଥା ଭାବେ ନିଜକୁ ବିକଶିତ କରିପାରଛି। ଜିଡ଼ିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ଭବିଷ୍ୟତରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ଅତିରିକ୍ତ ପୁଞ୍ଜି ପ୍ରଦାନ ଏହାର ନେଟ୍ ଆୟ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି।