ଦ୍ୱନ୍ଦ୍ୱରେ ଇଂଲଣ୍ଡ

ସାଉଥମ୍ପଟନ,୨୬।୫(ଏଏଫ୍‌ପି)- ପେସର ମାର୍କ ଉଡ୍‌ ଆହତ ସମସ୍ୟା ନେଇ ଇଂଲଣ୍ଡ ଦଳ ଦ୍ୱନ୍ଦ୍ୱରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ତାଙ୍କ ପାଦରେ ଆଘାତ ଲାଗିଥିଲା। ଏହାପରେ ସେ ଆଉ ମ୍ୟାଚ୍‌ରେ ବୋଲିଂ କିମ୍ବା ଫିଲ୍ଡିଂ କରି ନ ଥିଲେ। ସେ ମ୍ୟାଚ୍‌ରେ ମାତ୍ର ୩.୧ ଓଭର ବୋଲିଂ କରିପାରିଥିଲେ। ଉଡ୍‌ ଆହତ ସମସ୍ୟା ଯୋଗୁ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବାର ଇତିହାସ ରହିଛି। ତାଙ୍କ ଗୋଡ଼ର ସ୍କାନ କରାଯାଇଛି। ତାଙ୍କ ସମସ୍ୟା ସମ୍ପର୍କରେ ସ୍କାନ ରିିପୋର୍ଟ ଆସିବା ପରେ ଜଣାପଡ଼ିବ। ଏହା ତାଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇପାରେ। ଦୁର୍ଭାଗ୍ୟବଶତଃ ପେସାଦାର କ୍ରୀଡ଼ାରେ ଏଭଳି ଘଟଣା ଦେଖିବାକୁ ମିଳେ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟ ଲାଗି ସମସ୍ତ ଖେଳାଳି ଫିଟ୍‌ ରୁହନ୍ତୁ ବୋଲି ସବୁ ଦଳ ଚାହଁାନ୍ତି। ଆଗାମୀ ୬ ସପ୍ତାହରେ ଖେଳାଳିଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିବ ବୋଲି ଷ୍ଟାଣ୍ଡବାଇ ଅଧିନାୟକ ଜୋସ ବଟଲର କହିଛନ୍ତି। ଯଦି ଉଡ୍‌ଙ୍କ ସମସ୍ୟା ଗୁରୁତର ଥାଏ, ତେବେ ବାମହାତୀ ପେସର ଡେଭିଡ୍‌ ଓ୍ବିଲିଙ୍କୁ ଦଳକୁ ଡାକରା ଦିଆଯିବ। ଇଂଲଣ୍ଡର ନିୟମିତ ଅଧିନାୟକ ଇଆନ ମୋର୍ଗାନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ବଟଲର ଦଳର ନେତୃତ୍ୱ ଭାର ସମ୍ଭାଳୁଛନ୍ତି। କିନ୍ତୁ ସେ ଧାର୍ଯ୍ୟ ସମୟ ସୁଦ୍ଧା ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି।

Share