Categories: ଖେଳ

ଦ୍ୱନ୍ଦ୍ୱରେ ବିଗ୍‌ ବାସରେ ବାଉଣ୍ଡ୍ରି ବାହାରେ କ୍ୟାଚ୍‌

ସିଡ୍‌ନୀ,୧୦।୧(ଏଏଫ୍‌ପି)- ଚଳିତ ବିଗ ବାସ ଲିଗ୍‌ (ବିବିଏଲ)ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇ ଜଣିଆ କ୍ୟାଚ୍‌ ଦ୍ୱାରା ହାବର୍ଟ ଅଧିନାୟକ ମାଥ୍ୟୁ ଓ୍ବେଡ ଆଉଟ୍‌ ହୋଇଥିଲେ। କିନ୍ତୁ ଉକ୍ତ କ୍ୟାଚ୍‌ ଯୋଗୁ କ୍ରିକେଟ ନିୟମ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରଥମେ ବ୍ୟାଟିଂ କରି ହାବର୍ଟ ୧୪.୪ ଓଭରରେ ୫ ଉଇକେଟ ହରାଇ ୯୮ ରନ୍‌ କରିଥିଲା। ଦଳର ଅଧିନାୟକ ଓ୍ବେଡ ୬୧ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଲଙ୍ଗ ଅନ୍‌ ଅଞ୍ଚଳକୁ ଏକ ବଡ଼ ଶଟ ଖେଳିଥିଲେ। ବ୍ରିସବେନ ଫିଲ୍ଡର ମ୍ୟାଟ ରେନଶ ଭିତରେ ବଲ ଧରି ବାଉଣ୍ଡ୍ରି ବାହାରକୁ ଯିବା ପୂର୍ବରୁ ବଲ ଉପରକୁ ଫିଙ୍ଗି ଥିଲେ। ହେଲେ ବଲ ବାଉଣ୍ଡ୍ରି ଅପରପଟକୁ ଯାଇ ନ ଥିଲା। ଏଣୁ ସେ ପୁଣି ଥରେ ବାଉଣ୍ଡ୍ରି ବାହାରୁ ଡେଇଁ ବଲକୁ ଠେଲି ଦେଇଥିଲେ। ଆଉ ଏହାକୁ କ୍ୟାଚ୍‌ କରିଥିଲେ ଟମ ବାଣ୍ଟନ। ଦୀର୍ଘ ସମୟ ଧରି ଭିଡିଓ ରିଭ୍ୟୁ ପରେ ୩ୟ ଅମ୍ପାୟର ଓ୍ବେଡଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଓ୍ବେଡ ପୂର୍ବରୁ ପ୍ୟାଭିଲିୟନ ଚାଲି ଯାଇଥିଲେ। ଏସମ୍ପର୍କିତ ନିୟମ ବିଷୟରେ ମୋତେ ଜଣାନାହିଁ। ଫିଲ୍ଡ ବାହାରେ ଥରେ ଗୋଡ ଲାଗିବା ପରେ ବଲକୁ ଛୁଇଁବା ଉଚିତ କି ନାହିଁ। ଅମ୍ପାୟରଙ୍କ ସହ ଆଲୋଚନା କରିବା ପରେ ମୁଁ କ୍ରିଜ ଛାଡ଼ିଥିଲି ବୋଲି ଓ୍ବେଡ ପ୍ରସାରଣକାରୀ ଚ୍ୟାନେଲ ୭ରେ କହିଛନ୍ତି। କ୍ରିକେଟର ନିୟମ ପ୍ରସ୍ତୁତ କରୁଥିବା ଏମ୍‌ସିସି ଏକ ଟୁଇଟ୍‌ରେ ଲେଖିଛି, ୧୯.୫ ନିୟମ ଅନୁଯାୟୀ କ୍ୟାଚ୍‌ ଆଇନ ଗତ।

Share