Categories: ଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ସହଜ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୪।୮(ପି.ଟି.)- ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ୫ ଉଇକେଟ ସଫଳତା ଏବଂ ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଜଲ, ଅଭିମନ୍ୟୁ ଈଶ୍ୱରନ ଓ ଅନମୋଲପ୍ରୀତ୍‌ ସିଂଙ୍କ ଅର୍ଦ୍ଧଶତକ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଏଥିସହ ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଭାରତ-ଏ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ଭାରତ-ଏ ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ଜିତିଥିଲା। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଅଗଷ୍ଟ ୯ରୁ ତ୍ରିନିଦାଦରେ ଆରମ୍ଭ ହେବ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସରେ ୧୧୩ ଓଭରରେ ୩୧୮ ରନ କରି ଅଲଆଉଟ ହୋଇଛି। ଜବାବରେ ଭାରତ-ଏ ଆଶାନୁରୂପ ବ୍ୟାଟିଂ କରି ନ ପାରି ୪୭ ଓଭରରେ ୧୯୦ ରନକରି ଅଲଆଉଟ ହୋଇଛି। ଫଳରେ ପ୍ରଥମ ଇନିଂସରେ ଭାରତ-ଏ ୧୨୮ ରନ ପଛରେ ପଡିଥିଲା। ତେବେ ଭାରତୀୟ ବୋଲର ଉନ୍ନତ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ-ଏ’କୁ ୨ୟ ଇନିଂସରେ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନ ଥିଲା। ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ-ଏ ୩୯.୫ ଓଭରରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୨୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ-ଏ ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫୦ ଓଭରରେ ୩ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଥିଲା। ଅନ୍ତିମ ଦିବସରେ ଶନିବାର ଭାରତ-ଏ ଆଉ କୌଣସି ଉଇକେଟ୍‌ ନ ହରାଇ ବିଜୟ ପାଇଁ ଆବଶ୍ୟକ ୯୩ ରନ ସଂଗ୍ରହ କରିନେଇଥିଲା। ଦୁଇ ଓପନର ମୟଙ୍କ (୮୧ ରନ) ଓ ପ୍ରିୟଙ୍କ ପଞ୍ଚଲ (୬୮) ଓପନିଂ ଯୋଡିରେ ୧୫୦ ରନ କରି ଦଳକୁ ଜବରଦସ୍ତ ଆରମ୍ଭ ପ୍ରଦାନ କରିଥିଲେ। ହନୁମା ବିହାରୀ ୧ ରନ କରି ଆଉଟ୍‌ ହୋଇଥିବାବେଳେ ଈଶ୍ୱରନ ୬୨ ଓ ଅନ୍‌ମୋଲପ୍ରୀତ୍‌ ସିଂ ୫୧ ରନ୍‌ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ-ଏ ତରଫରୁ ହୋଲ୍ଡର ୨ ଓ ରେଇଫର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨/୪ ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ-ଏ ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସୁନୀଲ ଆମ୍ବ୍ରିସ ଓ ଜେରମାଇନ ବ୍ଲାକଉଡ୍‌ ଯଥାକ୍ରମେ ୭୧ ଓ ୩୧ ରନ କରି ଆଉଟ ହୋଇଥିଲେ। ରୋମାରିଓ ଶେଫେର୍ଡ ୧୬ ରନ କରି ଅପରାଜିତ ରହିଥିତ୍ଲେ। ଓପନର କ୍ରେଗ ବ୍ରାଥଓ୍ବେଟ ୧୦ ରନ କରିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ଭାରତ-ଏ ପକ୍ଷରୁ କ୍ରିଷ୍ଣାପ୍ପା ଗୋଥାମ ସର୍ବାଧିକ ୫, ଏସ୍‌. ସନ୍ଦୀପ ଓ୍ବାରିୟର ୩ ଓ ମହମ୍ମଦ ସିରାଜ ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସ: ୧୧୩ ଓଭରରେ ୩୧୮ ଅଲଆଉଟ।
ଭାରତ-ଏ ପ୍ରଥମ ଇନିଂସ: ୪୭ ଓଭରରେ ୧୯୦ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ-ଏ ଦ୍ୱିତୀୟ ଇନିଂସ: ୩୯.୫ ଓଭରରେ ୧୪୯ ଅଲଆଉଟ
(ଅମ୍ବ୍ରିଶ- ୭୧, ବ୍ଲାକ୍‌ଉଡ- ୩୧, ଗୋଥାମ- ୫/୧୭, ଓ୍ବାରିୟର- ୩/୪୩)।
ଭାରତ-ଏ ଦ୍ୱିତୀୟ ଇନିଂସ: ୭୯.୧ ଓଭରରେ ୨୮୧/୩
(ଅଗ୍ରଓ୍ବାଲ- ୮୧, ପଞ୍ଚଲ- ୬୮, ଈଶ୍ୱରନ ୬୨, ଅନ୍‌ମୋଲପ୍ରୀତ୍‌ ୫୧, ହୋଲ୍ଡର- ୨/୩୪)।

Share