Categories: ଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ ମ୍ୟାଚ୍‌ରେ ରାହାନେ ୧୦୧ ରନ୍‌ର ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଏ’ ୯ ଉଇକେଟ ହରାଇ ୩୮୬ ରନ୍‌ କରିଥିଲା। ଜବାବରେ ଭାରତ ଏ’ ୧୦୯.୩ ଓଭରରେ ୫ ଉଇକେଟ ହରାଇ ୪୬୭ ରନ୍‌ କରିଛି। ଫଳରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହ ଭାରତ ଏ’ ଦଳର ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହୋଇଛି। ୧୪୮ ବଲର ସମ୍ମୁଖୀନ ହୋଇ ରାହାନେ ୧୦୧ ରନ୍‌ କରିଛନ୍ତି। ତାଙ୍କ ଇନିଂସରେ ୧୫ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଶୁବମନ ଗିଲ୍‌ (୧୩୬) ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ। ଚେତେଶ୍ୱର ପୂଜାରା (୫୩), ବିଜୟ ଶଙ୍କର (୬୬) ଓ ଅଧିନାୟକ ହନୁମା ବିହାରୀ (୫୯) ଅର୍ଦ୍ଧଶତକ ହାସଲ କରିଥିଲେ। ନିୟମିତ ଟେଷ୍ଟ ଖେଳାଳିଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୩୭.୫ ଓଭର ବୋଲିଂ କରି ଦୁଇ ଉଇକେଟ ହାସଲ କରିଥିଲେ।

Share