Categories: ଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ : ଭାରତ ଏ’ ବିଜୟୀ

ଥିରୁବନନ୍ତପୁରମ,୩୧।୮(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ ଏ’ ଗୋଟିଏ ଓଭର ବାକି ରଖି ୨ ଉଇକେଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଏ’କୁ ପରାସ୍ତ କରିଛି। ଏଥିସହିତ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୧ ଓଭରରେ ୫ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନକରି ବିଜୟ ହାସଲ କରିଛି। ବର୍ଷା ଯୋଗୁ ମ୍ୟାଚ୍‌ର ଓଭର ସଂଖ୍ୟା କମାଇଦିଆଯାଇଥିଲା।
୧୬୩ ରନ ଟାର୍ଗେଟ ପିଛା କରି ଭାରତ ୫୭ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୨୪ ବଲରୁ ୫ ଚୌକା ଓ ୪ ଛକା ସହ ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନମୋଲପ୍ରୀତ ସିଂ ୧୯ ବଲରୁ ୨ ଚୌକା ଓ ୨ ଛକା ସହ ୩୦, ଶୁମମନ ଗିଲ ୨୪ ବଲରୁ ୧ ଛକା ସହ ୨୧, ଅଧିନାୟକ ମନୀଷ ପାଣ୍ଡେ ୧୩, ଅକ୍ଷର ପଟେଲ ୧୦ ରନ କରି ଆଉଟ ହୋଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୧୫ ବଲରୁ ୧ ଛକା ଓ ୧ ଚୌକା ସହ ୨୩ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଜୁନିୟର ଡାଲା ୨, ବଜର୍ନ ଫର୍ଚ୍ୟୁଇନ୍‌, ବେଉରାନ ହେଣ୍ଡ୍ରିକ୍ସ, ଅନରିଚ୍‌ ନୋର୍ଜ, ଜର୍ଜ ଲଣ୍ଡେ ଓ ମାର୍କୋ ଜାନେସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଜର୍ଜ ଲିଣ୍ଡେ ୨୫ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୫ ଛକା ସହ ସର୍ବାଧିକ ଅପରାଜିତ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଦଳର ସ୍କୋରକୁ ଦେଢ଼ଶହ ପାର କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ହେନରିଚ୍‌ କ୍ଲାସେନ୍‌ ୩୧, ଖାୟା ଜୋଣ୍ଡୋ ୨୪, ଅଧିନାୟକ ଟେମ୍ବା ବଭୁମା ୩୩ ବଲରୁ ୬ ଚୌକା ସହ ୪୦ ରନ ସଂଗ୍ରହ କରିଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଦୀପକ ଚହର, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ଏ’- ୨୧ ଓଭରର ୧୬୨/୫
(ଲିଣ୍ଡେ- ୫୨*, ବଭୁମା- ୪୦, କ୍ଲସେନ- ୩୧, ଜୋଣ୍ଡୋ- ୨୪, ଚହର- ୧/ ୩୦, ଅହମ୍ମଦ-/୩୮, ଚହଲ- ୧/୨୨, ପଟେଲ- ୧/୧୯)।
ଭାରତ ଏ’- ୨୦ ଓଭରରେ ୧୬୩/୮
(ଇଶାନ- ୫୫, ଅନମୋଲପ୍ରୀତ- ୩୦, କ୍ରୁନାଲ- ୨୩*, ଡାଲା- ୨/୨୫)।

Share