Categories: ଖେଳ

ଦ୍ୱିତୀୟ ଆଶେସ ଟେଷ୍ଟରୁ ଆଣ୍ଡରସନ ବାଦ୍‌

ଲଣ୍ଡନ, ୬।୮ (ଏଏଫ୍‌ପି)- ଇଂଲଣ୍ଡର ବରିଷ୍ଠ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଡାହାଣ ଗୋଡ଼ର ମାଂସପେଶୀରେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ଆଣ୍ଡରସନ କେବେ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇ ଦଳକୁ ଫେରିବେ ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଅନିଶ୍ଚିତତା ମଧ୍ୟରେ ରହିଛି। ଇଂଲଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍‌ ଅକ୍ତିଆର କରିଥିବା ୩୭ ବର୍ଷୀୟ ଏହି ଡାହାଣହାତୀ ବୋଲର ଆଘାତଜନିତ ସମସ୍ୟା ଯୋଗୁ ଏଜ୍‌ବାଷ୍ଟନରେ ଶେଷ ହୋଇଥିବା ପ୍ରଥମ ଆଶେସ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୪ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ଆଉ ବୋଲିଂ କରିବାକୁ ଆସି ନ ଥିଲେ। ନିକଟରେ ବିଶ୍ୱ ବିଜୟୀ ହେବାର ସ୍ବାଦ ଚାଖିଥିବା ଇଂଲଣ୍ଡ ଏହି ମ୍ୟାଚ୍‌କୁ ୨୫୧ ରନର ବୃହତ ବ୍ୟବଧାନରେ ପରାସ୍ତ ହୋଇଥିଲା। ଆଣ୍ଡରସନଙ୍କ ସ୍କାନ ରିପୋର୍ଟ ବାହାରିଥିବାବେଳେ ସେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଫିଟ୍‌ ହେବାର ସମ୍ଭାବନା ନାହିଁ। ଫଳରେ ଅଗଷ୍ଟ ୧୪ରୁ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଥିବା ୨ୟ ଟେଷ୍ଟରୁ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି। ଏଠାରେ ପ୍ରକାଶଯୋଗ୍ୟ, ଏକ ମାସ ତଳେ ଲଙ୍କାଶାୟର ପକ୍ଷରୁ କାଉଣ୍ଟି ମ୍ୟାଚ୍‌ ଖେଳୁଥିବାବେଳେ ଆଣ୍ଡରସନ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ସେ ଦୀର୍ଘ ଏକମାସ ହେବ ପ୍ରତିଦ୍ୱନ୍ଦ୍ୱୀତାମୂଳକ କ୍ରିକେଟ୍‌ରୁ ଦୂରେଇ ରହିଥିଲେ।

Share