Categories: ଖେଳ

ଦ୍ୱିତୀୟ ଟି୨୦ରେ ଭାରତ ବିଜୟୀ

ରାଜକୋଟ, ୮ା୧୧-ରୋହିତ ଶର୍ମା (୮୫ରନ, ୪୩ବଲ, ୬ ଚୌକା, ୬ ଛକା) ଏବଂ ଶିଖର ଧାଓ୍ବନ (୩୧ରନ, ୨୭ ବଲ୍‌, ୪ଚୌକା)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ୧୫୪ ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫.୪ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଅଧିନାୟକ ଶର୍ମା ଏବଂ ଧାଓ୍ବନ ପ୍ରଥମ ଉଇକେଟରେ ୧୧୮ ରନ ସଂଗ୍ରହ କରି ବିଜୟ ପଥକୁ ସହଜ କରିଦେଇଥିଲେ। ଲୋକେଶ ରାହୁଲ ଏବଂ ଶ୍ରେୟାସ ଆୟାର ଯଥାକ୍ରମେ ୮ ଓ ୨୪ ରନ କରି ଅପରାଜିତ ରହିଥିଲେ। ଆୟାର ୧୩ ବଲ୍‌ର ସାମ୍ନା କରି ୩ ଚୌକା ଓ ୧ ଛକା ଲଗାଇଥିଲେ। ବାଂଲାଦେଶ ତରଫରୁ ଅମିନୁଲ ଇସ୍‌ଲାମ ୨୯ ରନ ବିନିମୟରେ ୨ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଗୁରୁବାର ଭାରତର ଏହି ବିଜୟ ଦ୍ୱାରା ଦୁଇ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।
ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାର ସଦୁପଯୋଗ କରିପାରି ନ ଥିଲା। ଓପନର ଲିଟନ ଦାସ (୨୧ ବଲ୍‌ରୁ ୨୯ରନ, ୪ ଚୌକା) ଏବଂ ମହମ୍ମଦ ନଇମ (୩୧ ବଲ୍‌ରୁ ୩୬, ୫ ଚୌକା) ପ୍ରଥମ ଉଇକେଟରେ ୬୦ରନ ଯୋଗକରିଥିଲେ। ନଇମ୍‌ ଖଲିଲ ଅହମ୍ମଦ(୧/୪୪)ଙ୍କ ବୋଲିଂରେ କ୍ରମାଗତ ୩ଟି ଚୌକା ଲଗାଇଥିଲେ। ମାତ୍ର ୟୁଜବେନ୍ଦ୍ର ଚହଲ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୧୩ତମ ଓଭରରେ ଡବଲ ବ୍ରେକ୍‌ ଥ୍ରୁ ଆଣି ଭ୍ରମଣକାରୀ ଦଳକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ୪ ରନ କରି ଖେଳୁଥିବା ମୁସ୍‌ଫିକର ରହିମ ଚହଲଙ୍କ ବୋଲିଂରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ସୌମ୍ୟ ସରକାର(୨୦ ବଲ୍‌ରୁ ୩୦, ୨ ଚୌକା ଓ ୧ ଛକା) ଚହଲଙ୍କ ଶିକାର ହୋଇଥିଲେ। ଉଇକେଟକିପର ରିଷଭ ପନ୍ତ୍‌ ତାଙ୍କୁ ଷ୍ଟମ୍ପ କରିଦେଇଥିଲେ। ସେତେବେଳେ ବାଂଲାଦେଶ ୪ ଉଇକେଟ ବିନିମୟରେ ୧୦୩ ରନ ସଂଗ୍ରହ କରି ସଂଘର୍ଷ ଚଳାଇଥିଲା। ମାତ୍ର ଅଧିନାୟକ ମହମୁଦୁଲ୍ଲା ରିୟାଦଙ୍କ ଦ୍ରୁତ ୩୦ରନ (୨୧ବଲ୍‌) ସହାୟତାରେ ବାଂଲାଦେଶ ୧୫୦ ଅଙ୍କ ଅତିକ୍ରମ କରିଥିଲା। ସିମର ଦୀପକ ଚହର (୧/୨୫) ଏବଂ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର(୧/୨୫) ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରି ନ ଥିଲେ। ଏହି ମ୍ୟାଚ ପାଇଁ ଉଭୟ ଦଳ ସେମାନଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନ ଥିଲେ। ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବାଂଲାଦେଶ ୭ ଉଇକେଟରେ ଭାରତକୁ ପରାସ୍ତ କରିଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ : ୨୦ ଓଭରରେ ୧୫୩/୬ (ମହମ୍ମଦ ନଇମ୍‌-୩୬, ସୌମ୍ୟ ସରକାର-୩୦, ମହମୁଦୁଲ୍ଲା-୩୦, ଲିଟନ ଦାସ-୨୯, ୟୁଜବେନ୍ଦ୍ର ଚହଲ-୨/୨୮)।
ଭାରତ: ୧୫.୪ ଓଭରରେ-୧୫୪/୨(ରୋହିତ ଶର୍ମା-୮୫, ଶିଖର ଧାଓ୍ବନ-୩୧, ଅମିନୁଲ ଇସ୍‌ଲାମ-୨/୨୯)

Share