Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଆବିଦ୍‌, ମାସୁଦଙ୍କ ଶତକ; ପାକିସ୍ତାନର ଆଧିପତ୍ୟ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପାକିସ୍ତାନ ଦ୍ୱିତୀୟ ଇନିଂସରେ ଦୁଇ ଓପନର ସାନ୍‌ ମାସୁଦ ଓ ଆବିଦ୍‌ ଅଲିଙ୍କ ବୃହତ୍‌ ଶତକ ସହ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସ୍ଥତି ଦୃଢ କରିଛି। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୫୭/୦ରୁ ଖେଳ ଆରମ୍ଭ କରି ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୦୪ ଓଭରରେ ୨ ଉଇକେଟ ହରାଇ ୩୯୫ ରନ ସଂଗ୍ରହ କରି ମୋଟ ଉପରେ ୩୧୫ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଅଝାର ଅଲି ୫୭ ଓ ବାବର ଆଜମ ୨୨ ରନ କରି ଅପରାଜିତ ରହିଛନ୍ତି। ମାସୁଦ ୧୩୫ ଓ ଆବିଦ ୧୭୪ ରନର ଶତକୀୟ ପାଳି ଖେଳି ଦ୍ରୁତ ବୋଲର ଲାହିରୁ କୁମାରାଙ୍କ ଦ୍ୱାର ଆଉଟ ହୋଇଛନ୍ତି। ଏଥିସହିତ ଆବିଦ କ୍ୟାରିୟରର ପ୍ରଥମ ଦୁଇଟି ଟେଷ୍ଟରେ ଶତକ ହାସଲ କରି ରେକର୍ଡ ଅର୍ଜନ କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ: ୫୯.୩ ଓଭରରେ ୧୯୧ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ: ୮୫.୫ ଓଭରରେ ୨୭୧ ଅଲଆଉଟ।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୧୦୪ ଓଭରରେ ୩୯୫/୨
(ମାସୁଦ- ୧୩୫, ଆବିଦ- ୧୭୪, ଆଝାର- ୫୭*, ବାବର- ୨୨* , କୁମାରା- ୨/୮୮)।

Share