Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

କେପ୍‌ ଟାଉନ,୮।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୮୯ ରନରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ ସ୍ତରରେ ପହଞ୍ଚିଛି। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୯୧.୫ ଓଭରରେ ୨୬୯ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ୮୯ ଓଭରରେ ୨୨୩ ରନ ସଂଗ୍ରହ କରି ୪୬ ରନ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୧୧ ଓଭରରେ ୮ ଉଇକେଟ ହରାଇ ୩୯୧ ରନ କରି ପାଳି ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୪୩୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନ୍ତିମ ତଥା ପଞ୍ଚମ ଦିବସରେ ୧୩୭.୪ ଓଭରରେ ୨୪୮ ରନକରି ଅଲଆଉଟ ହେବା ସହ ପରାଜୟବରଣ କରିଥିଲା।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨୬/୨ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ମଙ୍ଗଳବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଓପନର ପିଟର ମଲାନ ୬୩ରୁ ଖେଳ ଆରମ୍ଭ କରି ୮୪ ରନରେ ଓ କେଶବ ମହାରାଜ ୨ରୁ ଖେଳ ଆରମ୍ଭ କରି ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ୨ ରନରେ ହିଁ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ୫୦, ରାସି ଭାନ ଡେର ଡୁସେନ ୧୭, ଅଧିନାୟକ ଫାଫ୍‌ ଡୁପ୍ଲେସି ୧୯, ଜୁବେର ହମ୍‌ଜା ୧୮ , ଡିନ ଏଲ୍‌ଗାର ୩୪ ରନକରି ଆଉଟ ହୋଇଥିବାବେଳେ ୫ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୋକ୍ସ ୩, ଜେମ୍ସ ଆଣ୍ଡରସନ ଓ ଜୋ ଡେନ୍‌ଲି ୨ଟି ଲେଖାଏ, ଷ୍ଟୁଆର୍ଟ ବ୍ରଡ, ଡୋମିନିକ ବେସ ଓ ସାମ କୁରାନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ବିଜୟୀ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୯୧.୫ ଓଭରରେ ୨୬୯ ଅଲଆଉଟ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୯ ଓଭରରେ ୨୨୩ ଅଲଆଉଟ।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୧୧୧ ଓଭରରେ ୩୯୧/୮ (ଇନିଂସ ଘୋଷଣା)।
ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଇନିଂସ- ୧୩୭.୪ ଓଭରରେ ୨୪୮ ଅଲଆଉଟ
(ମଲାନ- ୮୪, ଡିକକ- ୫୦, ଏଲଗାର- ୩୪, ଡୁପ୍ଲେସି- ୧୯, ହମ୍‌ଜା- ୧୮, ଡୁସେନ- ୧୭, ଷ୍ଟୋକ୍ସ- ୩/୩୫, ଆଣ୍ଡରସନ- ୨/୨୩, ଡେନ୍‌ଲି- ୨/୪୨)।

Share