Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୯.୩ ଓଭରରେ ୧୯୧ ରନକରି ଅଲଆଉଟ୍‌ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ୮୫.୫ ଓଭରରେ ୨୭୧ ରନ କରି ଅଲଆଉଟ ହୋଇ ୮୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୪ ଓଭରରେ କୌଣସି ଉଇକେଟ ନ ହରାଇ ୫୭ ରନ ସଂଗ୍ରହ କରି ପ୍ରତ୍ୟାବର୍ତ୍ତନ କରିଛି। ଫଳରେ ପାକିସ୍ତାନ ଏବେ ୧୦ ଉଇକେଟ ହାତରେ ରଖି ୨୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ସାନ ମାସୁଦ ୨୧ ଓ ଆବିଦ ଅଲି ୩୨ ରନ କରି ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୬୩/୩ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ୍‌ ୮ ରନରୁ ଖେଳ ଆରମ୍ଭ କରି ୧୩ ଓ ଲସିଥ ଏମ୍ବୁଲଡେନିଆ ୩ ରନରୁ ଖେଳ ଆରମ୍ଭ କରି ୧୩ ରନ କରି ଆଉଟ ହୋଇଛନ୍ତି। ଏହାପରେ ଧନଞ୍ଜୟ ଡି ସିଲଭା ୩୨, ଉଇକେଟ କିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବାଲା ୨୧, ଦୀନେଶ ଚାଣ୍ଡିମଲ ୭୪, ଦିଲରୁଓ୍ବାନ ପେରେରା ୪୮ ଓ ଲାହିରୁ କୁମାରା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ୧୯ ବର୍ଷୀୟ ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ସର୍ବାଧିକ ୫, ମହମ୍ମଦ ଆବାସ ୪ ଓ ହାରିସ ସୋହେଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୫୯.୩ ଓଭରରେ ୧୯୧।
ଶ୍ରୀଲଙ୍କା ପ୍ରଥମ ଇନିଂସ- ୮୫.୫ ଓଭରରେ ୨୭୧ ଅଲଆଉଟ
(ଚାଣ୍ଡିମଲ- ୭୪, ଦିଲରୁଓ୍ବାନ- ୪୮, ଧନଞ୍ଜୟ- ୩୨, କରୁଣାରତ୍ନେ- ୨୫, ଡିକ୍‌ଓ୍ବାଲା- ୨୧, ଆଫ୍ରିଦି- ୫/୭୭, ଆବାସ- ୪/୫୫, ସୋହେଲ- ୧/୧୧)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୧୪ ଓଭରରେ ୫୭/୦
(ମାସୁଦ- ୨୧, ଆବିଦ- ୩୨)।

Share