Categories: ଖେଳ

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସୁବିଧାଜନକ ସ୍ଥିତିରେ ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମ ଇନିଂସରେ ୯୧.୫ ଓଭରରେ ୨୬୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୪.୪ ଓଭରରେ ୮ ଉଇକେଟ ହରାଇ ୨୧୫ ରନ ସଂଗ୍ରହ କରିଛି। ଫଳରେ ୨ ଉଇକେଟ ହାତରେ ରଖି ଦକ୍ଷିଣ ଆଫ୍ରିକା ଏବେ ୫୪ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଭର୍ଣ୍ଣନ ଫିଲାଣ୍ଡର ୧୩ ରନକରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଓପନର ଡିନ୍‌ ଏଲଗାର ସର୍ବାଧିକ ୮୮, ରାସି ଭାନ ଡେର ଡୁସେନ ୬୮, ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ୨୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଚତୁର୍ଥ ଉଇକେଟରେ ଏଲଗାର ଓ ଡୁସେନ ୧୧୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଆଣ୍ଡରସନ ୩, ବ୍ରଡ ଓ ସାମ କୁରାନ ୨ଟି ଲେଖାଏ, ଡୋମିନିକ ବେସ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୨/୯ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଆଉ ମାତ୍ର ଅଧିକ ୭ ରନ କରି ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓଲି ପୋପ୍‌ ୫୬ ରନରୁ ଖେଳ ଆରମ୍ଭ କରି ୬୧ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ୩ ରନରୁ ଖେଳ ଆରମ୍ଭ କରି ଆଣ୍ଡରସନ ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡ଼ା ୩, ଫିଲାଣ୍ଡର, ଡ୍ବେନ ପ୍ରିଟୋରିୟସ ଓ ଅନରିଚ୍‌ ନୋର୍ଜ ୨ଟି ଲେଖାଏ, କେଶବ ମହାରାଜ ଗୋଟିଏ ଉଇକେଟ ହାସଲ କରିଥିଲେ। ସେଞ୍ଜୁରିଆନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ବିଜୟୀ ହୋଇ ୧-୦ରେ ସିରିଜ ଅଗ୍ରଣୀ ହୋଇଛି।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୯୧.୫ ଓଭରରେ ୨୬୯ ରନରେ ଅଲଆଉଟ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୪.୪ ଓଭରରେ ୨୧୫/୮
(ଏଲଗାର- ୮୮, ଡୁସେନ- ୬୮, ଆଣ୍ଡରସନ- ୩/୩୪, ବ୍ରଡ- ୨/୩୬, କୁରାନ- ୨/୩୯)।

Share