ଦ୍ୱିତୀୟ ଦିନରେ ବି ଖୋଲିଲାନି ତାଲା, ଗଛ ମୂଳେ ପାଠ ପଢିଲେ ଛାତ୍ରୀଛାତ୍ର

ତଳଗାଁ,୨୫।୭(ଡି.ଏନ.ଏ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗଣ୍ଡାପାଜୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ପକାଇଥିବା ତାଲା ବନ୍ଦ ଆନ୍ଦୋଳନ ବୁଧବାର ଦ୍ୱିତୀୟ ଦିବସରେ ପହଞ୍ଚିଛି । ଛାତ୍ରୀଛାତ୍ର ସ୍କୁଲକୁ ଆସିଥିବାବେଳେ ତାଲା ଖୋଲାଯାଇ ନ ଥିବାରୁ ଗଛମୂଳରେ ବସିପାଠ ପଢିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଧାନଗର ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ମଙ୍ଗରାଜଙ୍କୁ ଗଣ୍ଡାାଜୁ ସ୍କୁଲକୁ ବଦଳି ହୋଇଛି । ଗତ ସୋମବାର ବଦଳି ଆଦେଶ ଅନୁସାରେ ଶିକ୍ଷୟିତ୍ରୀ ମଙ୍ଗରାଜ ଗଣ୍ଡାପାଜୁ ବିଦ୍ୟାଳୟରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଅଭିଭାବକ ଓ ବିଦ୍ୟାଳୟ କମିଟି ଶିକ୍ଷକ ବେହରାଙ୍କୁ ପୁନଃ ନିଯୁକ୍ତି ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ା ପୁନର୍ବାର ମଙ୍ଗଳବାର ବିଦ୍ୟାଳୟକୁ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଓ ବଦଳି ହୋଇ ଆସିଥିବା ଶିକ୍ଷୟିତ୍ରୀ ପହଞ୍ଚିଥିଲେ । କିନ୍ତୁ ଅଭିଭାବକ ଓ ବିଦ୍ୟାଳୟ କମିଟି ବିରୋଧ କରି ବିଦ୍ୟାଳୟ ଫାଟକ ଆଗରେ ବସି ରହିଥିଲେ । ବିଦ୍ୟାଳୟ କମିଟିକୁ ବୁଝାଶୁଝା କରିବା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧିରେନ୍ଦ୍ର ବେହେରା ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା । ଏପଟେ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ନିକଟସ୍ଥ ଗଛମୂଳରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଥିଲା।