Categories: ଖେଳ

ଦ୍ୱିତୀୟ ଦିନିକିଆ: ଭାରତର ବୃହତ୍‌ ବିଜୟ

ବିଶାଖାପାଟଣା,୧୮।୧୨ (ପି.ଟି.)- ପ୍ରଥମ ଦିନିକିଆର ପରାଜୟ ପରେ ଘରୋଇ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରିଛି। ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ସ୍ଥାନୀୟ ୟାଇଏସ୍‌ଆର କ୍ରିକେଟ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନସ୍ତରରେ ପହଞ୍ଚିଛି। ଶତକ ହାସଲ କରିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦ୍ୱିଶତକୀୟ ଭାଗୀଦାରି ସ୍ଥାପନ କରି ଭାରତକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ ରିଷ୍ଟ ସ୍ପିନର କୂଲଦୀପ ଯାଦବ ହ୍ୟାଟ୍ରିକ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ ଓ ଭାରତର ବିଜୟକୁ ସହଜ କରାଇଥିଲେ। ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୮୭ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୪୩.୩ ଓଭରରେ ୨୮୦ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା।

Share