Categories: ବାଣିଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ ୟୁଏସ୍‌-ଚାଇନା ବାଣିଜ୍ୟ ଚୁକ୍ତି ଶୀଘ୍ର

ଡାଭୋସ,୨୨-୧: ଦୀର୍ଘ ୧୯ ମାସର ବାଣିଜ୍ୟ ଯୁଦ୍ଧକୁ ଅନ୍ତ କରିବା ଲାଗି ଆମେରିକା ଏବଂ ଚାଇନା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଦୁଇ ଦେଶ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହେବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ଓ୍ବାର୍ଲଡ ଇକୋନୋମିକ ଫୋରମ (ଡବ୍ଳ୍ୟୁଇଏଫ୍‌) ବାର୍ଷିକ ବୈଠକରେ ଯୋଗ ଦେଇ ମଙ୍ଗଳବାର ଏହା କହିଛନ୍ତି। ଜି ଜିନ୍‌ପିଙ୍ଗ୍‌ଙ୍କ ସହ ତାଙ୍କ ସମ୍ପର୍କ ଅସାଧାରଣ। ଜିନ୍‌ପିଙ୍ଗ୍‌ ଚାଇନା ପାଇଁ କାମ କରୁଥିବା ବେଳେ ମଁୁ ଆମେରିକାର। ଆମେ ଉଭୟ ଉଭୟଙ୍କୁ ଭଲ ପାଉ ବୋଲି ଟ୍ରମ୍ପ ମତ ରଖିଛନ୍ତି। ବର୍ତ୍ତମାନର ସମୟ ଆଶାର ସମୟ ବୋଲି ସେ କହିଥିଲେ।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏଠାରେ ଯୋଗ ଦେଇଛନ୍ତି। ଏହି ଦଳରେ ସେଲିବ୍ରିଟିଙ୍କ ସମେତ ଶିଳ୍ପ ଜଗତର ସିଇଓମାନେ ସାମିଲ ଅଛନ୍ତି। ଏହି ଅବସରରେ ଗୋୟଲ କହିଛନ୍ତି, ଭାରତ ମହାସାଗର ଅଞ୍ଚଳରେ ବୃହତ୍ତ ଅଭିବୃଦ୍ଧି ସମ୍ଭାବନା ରହିଛି। ଏ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶ ସହଯୋଗିତା ଭିତ୍ତିରେ କାମ କରିବା ଉଚିତ। ବାଣିଜ୍ୟ ସମ୍ପର୍କରେ ସ୍ବଚ୍ଛତା ଏବଂ ସର୍ତ୍ତରେ ସମତୁଲତା ରହିବା ନେଇ ସେ ମତ ରଖିଛନ୍ତି। ଆର୍ଥତ୍କ ଅସମାନତା ଦୂରୀକରଣ ଲାଗି ଅଭିନବ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ମନସୁଖଲାଲ ମାଣ୍ଡବୀୟ କହିଛନ୍ତି। କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିପିକା ପାଦୁକୋନ ମାନସିକ ସ୍ବାସ୍ଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ।

Share